କାହିଁକି ମୋହନ ମାଝୀଙ୍କୁ ଚୟନ କଲା ବିଜେପି ? କ'ଣ ରହିଛି ଏହା ପଛର କାରଣ
Odisha Elections: ରାଜ୍ୟରେ ସରିଛି ସାଧାରଣ ନିର୍ବାଚନ । ଦୀର୍ଘ ୨୪ ବର୍ଷର ସ୍ଥିର ଶାସନ କ୍ଷମତା ଧରିଥିବା ବିଜେଡି ଠାରୁ ସତ୍ତା ଛଡ଼ାଇ ନେଇଛି ବିଜେପି । ବିଜେପି ଏକାକୀ ବୃହତ୍ ଦଳ ଭାବେ ଉଭା ହେବା ସହ ସରକାର ମଧ୍ୟ ଗଠନ କରି ସାରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ସରକାର କରିଥିବା ବିଜେପି ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବେଶ୍ ଦ୍ୱନ୍ଦରେ ରହିବା ପରେ ଶେଷରେ ମୋହନ ଚରଣ ମାଝୀଙ୍କ ହାତରେ ଦେଇଛି ରାଜ୍ୟର ଶାସନ କ୍ଷମତା ।
ଏହା ସହ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୬ ଜଣ ମନ୍ତ୍ରୀ ମଧ୍ୟ ଶ,ପଥ ନେଇ ରାଜ୍ୟର ଶାସନ ଭାର ନେଇସାରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜେପି ଏହାର ପ୍ରଥମ ସରକାର ଗଢିଥିବା ବେଳେ ମୋହନ ମାଝୀଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କଲା ଦଳ ? ରାଜ୍ୟ ବିଜେପିରେ ଅନେକ ଅଭିଜ୍ଞ ଏବଂ ବରିଷ୍ଠ ନେତା ଥାଉ ଥାଉ ମୋହନ ମାଝୀଙ୍କୁ କାହିଁକି ବାଛିଲା ଦଳ ? ଏପରିକି ମୁଖ୍ୟମନ୍ତ୍ରୀ ନାଁ ନେଇ ଲାଗି ରହିଥିବା ଆଲୋଚନାରେ ମଧ୍ୟ ମୋହନଙ୍କ ନାଁ ସେତେଟା ଚର୍ଚ୍ଚା ହୋଇନଥିଲା । କିନ୍ତୁ ସମସ୍ତଙ୍କୁ ଚକ୍କିତ କରି ବିଜେପି ଶେଷରେ ମୋହନ ମାଝୀଙ୍କ ହାତରେ ରାଜ୍ୟର ଶାସନ ଭାର ଦେଇଛି ବିଜେପି ।

ତେବେ ଆସନ୍ତୁ ଜାଣିବା ମୋହନଙ୍କ ହାତରେ କମାଣ ଦେବା ପଛରେ କଣ ହୋଇପାରେ କାରଣ...
ଆଦିବାସୀ ଗେମ୍ କାର୍ଡ
ମୋହନ କେନ୍ଦୁଝର ସଦର ଆସନରୁ ୪ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ମୋହନ ମାଝୀ ରାଜ୍ୟ ବିଜେପିର ଜଣେ ଟାଣୁଆ ଆଦିବାସୀ ନେତା । ଓଡିଶାର ମୋଟ୍ ଜନସଂଖ୍ୟା ସାଢେ ଚାରି କୋଟିରୁ ଅଧିକ ହେବ । ଏଥିରୁ ପାଖାପାଖି ଏକ କୋଟି ଜନସଂଖ୍ୟା ଆଦିବାସୀ ସଂପ୍ରଦାୟର ଯାହା ରାଜ୍ୟର ମୋଟ୍ ଜନସଂଖ୍ୟାର ୨୩ ପ୍ରତିଶତ ହେବ । ବିଜେପି ଆଦିବାସୀ ଭୋଟରଙ୍କୁ ନିରାଶ କରିବାକୁ ଚାହୁଁନଥିଲା ।
ଅନ୍ୟପଟେ ବିରୋଧୀ ଆସନରେ ବସି ସରକାରକୁ ତୀକ୍ଷଣ୍ ତୀର ମାରିବାରେ ମଧ୍ୟ ମୋହନ ମାଝୀ ବେଶ୍ ମାହିର । ଗତ ସରକାରରେ ସେ ରାଜ୍ୟର ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ । ଏମିତି କି, ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବାର ସାହାସ ମଧ୍ୟ ଦେଖାଇଥିଲେ । ତେଣୁ ଏମିତି ଜଣେ ଚେହେରାକୁ ଆଗକୁ ଆଣି, ରାଜ୍ୟରେ ସ୍ଥିର ସରକାର ଦେବାକୁ ଚିନ୍ତା କରିଥାଇପାରେ ବିଜେପି ।
ବିଜେପି ଏଠାରେ ଝାଡଖଣ୍ଡ ପରି ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ କରି ରିସ୍କ ଉଠାଇବାକୁ ଚାହୁଁ ନ ଥିଲା । ଝାଡଖଣ୍ଡରେ ବିଜେପି ଅଣ ଆଦିବାସୀ ଚେହେରା ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଏବଂ ପାର୍ଟି ପାଞ୍ଚ ବର୍ଷ ପରେ କ୍ଷମତାକୁ ଫେରି ପାରି ନ ଥିଲା । ତେଣୁ ବିଜେପି ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ।
ଏହାବ୍ୟତୀତ ମୋହନ ମାଝୀ ଖଣିଜ ସମୃଦ୍ଧ କେନ୍ଦୁଝରର ପ୍ରତିନିଧିତ୍ୱ କରୁଥିବାରୁ ରାଜ୍ୟର ଖଣି ଓ ଖଣିଜ ସମ୍ପଦର ସୁରକ୍ଷା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।
ଉତ୍ତର ଓଡ଼ିଶାକୁ ପ୍ରାଧାନ୍ୟ
ଚଳିତ ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ଏ ଦୁଇଟି ଆସନ ହେଉଛି ପଶ୍ଚିମ ଓଡ଼ିଶାର । ତେଣୁ ପଶ୍ଚିମ ଓଡିଶା ବଦଳରେ ଅନ୍ୟ ଅଞ୍ଚଳକୁ ମଧ୍ୟ ସମାନ ପ୍ରତିନିଧିତ୍ୱ ଦେବାକୁ ବିଜେପି ଏପରି ସମୀକରଣ ଠିକ୍ କରିଥିବା ଆଲୋଚନା ହେଉଛି ।
ମୋହନ ମାଝୀ କେନ୍ଦୁଝରରୁ ଆସୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛି ସରକାରରେ ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ ଦେଇଛି ବିଜେପି । ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା କେଭି ସିଂହଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଛି ଦଳ । ତା ସହିତ ଉପକୂଳ ନେତା ତଥା ମହିଳା ଚେହେରା ଭାବେ ଦଳ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସହିତ ସରକାରରେ ସବୁ ଅଞ୍ଚଳକୁ ସମାନ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି ।
ଗୋଷ୍ଠୀ କନ୍ଦଳକୁ ମ୍ୟାନେଜ୍
ମୋହନ ଜଣେ ସଂଗଠନ ନେତା ଭାବେ ତାଙ୍କର ସ୍ୱଚ୍ଛ ଛବି ରହିଆସିଛି । ସେ ଓଡ଼ିଶା ବିଜେପି ସଂଗଠନର ଜଣେ ମଜବୁତ ଚେହେରା । ଓଡିଶା ପରି ରାଜ୍ୟରେ ଯେଉଁଠି ଦଳ ନିଜ ସଂଖ୍ୟା ବଳରେ ସରକାର ଗଠନ କରୁଛି, ସେଠି ଉତ୍ତମ ସମନ୍ୱୟ ରହିଛି । ମୋହନଙ୍କ ଛବି ରାଜ୍ୟ ବିଜେପିରେ ବେଶ ମେଳାପୀ ସ୍ୱଭାବରେ ରହିଛି । ନେତାଙ୍କଠୁ ନେଇ କର୍ମୀ ପର୍ଯ୍ୟନ୍ତ ସଭିଙ୍କ ସହ ତାଙ୍କର ଉତ୍ତମ ସଂପର୍କ ରହିଛି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ପାର୍ଟି ଭିତରେ ବଡ ନେତାଙ୍କ ମଧ୍ୟରେ ଥିବା ମତଭେଦକୁ କମ କରାଯାଇ ପାରିଛି ।
ରାଜ୍ୟ ବିଜେପିର ପ୍ରତିଟି ଗୋଷ୍ଠୀର ଲୋକ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ କଥାରେ ହଁ ଭରିଥାନ୍ତି । ତେଣୁ ଗୋଷ୍ଠୀ କନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମୋହନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବଛାଯାଇଥିବା ଅନୁମାନ କରାଯାଉଛି । ତା ସହିତ ତାଙ୍କ ପାଖରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଶିକ୍ଷକତା ସହିତ ସେ ଜଣେ ଉଚ୍ଚଶିକ୍ଷିତ ନେତା । ଏହାବାଦ୍ ବିରୋଧୀ ଦଳରେ ଥିବା ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି । ତେଣୁ ଏହି ସବୁ ସମୀକରଣକୁ ଦେଖି ମୋହନଙ୍କୁ ଦଳ ବାଛିଥିବା କୁହାଯାଉଛି ।
ଝାଡ଼ଖଣ୍ଡ ଉପରେ ବିଜେପି ନଜର
ଓଡ଼ିଶାକୁ ଲାଗିଥିବା ଝାଡ଼ଖଣ୍ଡ ମଧ୍ୟ ଆଦିବାସୀ ବହୁଳ ରାଜ୍ୟ । ଚଳିତ ବର୍ଷ ଶେଷ ଆଡକୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଓଡିଶାରେ ଆଦିବାସୀ ଚେହେରାର ମୁଖ୍ୟମନ୍ତ୍ରୀ କରାଯାଇ ଝାଡଖଣ୍ଡର ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜେପି ଲକ୍ଷ୍ୟ ରଖିଛି । ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଝାଡଖଣ୍ଡର ଭୋଟରଙ୍କୁ ଦୃଢ ସନ୍ଦେଶ ଦେବାକୁ ଚେଷ୍ଟା କରିଛି ବିଜେପି ।
ଗତ ଲୋକସଭା ନିର୍ବାଚନରେ ଝାଡଖଣ୍ଡର ୧୪ରୁ ୧୨ ଲୋକସଭା ଆସନ ଜିତିଥିବା ଏନଡିଏ, ଏଥର ୨୦୨୪ରେ ମାତ୍ର ୯ଟି ଆସନ ଜିତିପାରିଛି । ତେଣୁ ଆଗକୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ମୋହନ ମାଝୀଙ୍କ ଭଳି ଆଦିବାସୀ ଚେହେରାଙ୍କୁ ସାମ୍ନାକୁ ଆଣି ଝାଡଖଣ୍ଡର ଆଦିବାସୀ ଭୋଟରଙ୍କ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଛି ଭାରତୀୟ ଜନତା ପାର୍ଟି । ଜେଏମଏମ୍ ନେତା ହେମନ୍ତ ସୋରେନଙ୍କ ଗିରଫ ପରେ ଏଠାରେ ବିଜେପି ପାଇଁ ସାମାନ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହେଇଛି । ଆଉ ଏହାକୁ କାଉଣ୍ଟର କରିବାକୁ ଦଳ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଭେଟି ଦେଇଛି ବୋଲି କୁହାଯାଉଛି ।












Click it and Unblock the Notifications