ଓଡ଼ିଶା ବିଧାନସଭା କାହାର ?: ଏକଜିଟ୍ ପୋଲ୍ ପରେ ମତ ରଖିଲେ ମନମୋହନ, ପଦ୍ମନାଭ, ତାରା
ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି । ୧୦ରେ ଶପଥ ନେବୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୪ ତାରିଖ ଅପରାହ୍ନରେ ଟ୍ରେଣ୍ଡ କହିବ ଓ ଚିତ୍ର ସ୍ପଷ୍ଟ ହେବ ବୋଲି ମନମୋହନ କହିଛନ୍ତି।
ଏକଜିଟ୍ ପୋଲ ସର୍ବଦା ସଠିକ୍ ହୁଏନି କହିଲେ ବିଜେଡି ବିଧାୟକ ପଦ୍ମନାଭ ବେହେରା । ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବୋଲି ସେ କହିଛନ୍ତି । ଏହାସହ ପଦ୍ମନାଭ କହିଛନ୍ତି, ଚଳିତଥର ନିର୍ବାଚନରେ କିଛି ମାତ୍ରାରେ ହିଂସାକାଣ୍ଡ ହୋଇଛି । କିନ୍ତୁ ଏହା କାହିଁକି ହେଲା ତାହାର ତଦନ୍ତ ଚାଲିଛି । ଗଣମାଧ୍ୟମରେ ନିର୍ବାଚନୀ ହିଂସାକାଣ୍ଡ ସମ୍ପର୍କିତ ଖବର ଦେଖିବାକୁ ମିଳୁଛି । ନିର୍ବାଚନ ସମୟରେ ଏମିତି କାଁ ଭାଁ ହୋଇଥାଏ ।

ଅନ୍ୟପଟେ ବିଜେପିର ସରକାର ଗଢିବା ଦମ୍ଭୋକ୍ତିକୁ କାଉଁଣ୍ଟର କରିଛନ୍ତି ପଦ୍ମନାଭ । ସେ କହିଛନ୍ତି ଯେ, ବିଜେପିର ଅନେକ କେନ୍ଦ୍ରୀୟ ନେତା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠାରେ ଆସି ପ୍ରଚାର କରିଥିଲେ ତେଣୁ ସେମାନେ ଏଭଳି କହିବେ । କିନ୍ତୁ ବିଜେଡି ମଧ୍ୟ ପ୍ରଚାରରେ ପଛରେ ନଥିଲା । ନିଜେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲି ପ୍ରଚାର କରିଥିଲେ । ଚଳିତ ନିର୍ବାଚନରେ ବିଜେପି ଯେହେତୁ ଚେଷ୍ଟା କରିଥିଲା ତେଣୁ ସେମାନେ ସରକାର ଗଢିବା ପାଇଁ କହିବେ । କିନ୍ତୁ ବାସ୍ତବ କଥା ହେଲଶ ଓଡ଼ିଶାରେ ବିଜେଡି ବହୁମତ ସହ ସରକାର ଗଢିବାକୁ ଯାଉଛି । ଏଥିରେ ସନ୍ଦେହ ନାହିଁ ଯେ ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ।
୨୦୧୯ ଅପେକ୍ଷା ଭଲ କରିବୁ କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ତାରା ବାହିନୀପତି କହିଛନ୍ତି, ଏଗଜିଟ୍ ପୋଲରେ ଯେଉଁ ଫଳାଫଳ ଦେଖାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । କେନ୍ଦ୍ରରେ ଚଳିତ ନିର୍ବାଚନରେ ୨୯୦-୨୯୫ ଆସନ ହାତେଇବ ଇଣ୍ଡିଆ ମେଣ୍ଟ । ଯେଉଁଥିରେ ଓଡ଼ିଶାର ୪ରୁ ୫ ସାଂସଦ ପାଇବ କଂଗ୍ରେସ । କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ନିଶ୍ଚିତ ସରକାର ଗଢିବ ବୋଲି କହିଛନ୍ତି ତାରା । ବିଧାନସଭା କ୍ଷେତ୍ରରେ କଂଗ୍ରେସ ଭଲ ଆସନ ପାଇବ । ଟାଉନ ଭୋଟ ବିଜେପିକୁ ଏବଂ ଗ୍ରାମାଞ୍ଚଳ ଭୋଟ ବିଜେଡି ଓ କଂଗ୍ରେସକୁ ଆସିଛି । ଉଭୟ ଦଳ ମଧ୍ୟରେ ଗ୍ରାମାଞ୍ଚଳରେ କଡା ଟକ୍କର ରହିଛି । ତାରା କହିଛନ୍ତି, ରାଜ୍ୟରେ ଏଥର କଂଗ୍ରେସର ୯ରୁ ୯୦ ହୋଇନପାରେ କିନ୍ତୁ ଦଳ ଭଲ ପ୍ରଦର୍ଶନ କରିବ ।












Click it and Unblock the Notifications