ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି
ଓଡିଶା ସହ ପଡୋଶୀ ରାଜ୍ୟର ସୀମା ବିବାଦକୁ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବର: ଓଡିଶା ସହ ପଡୋଶୀ ରାଜ୍ୟର ସୀମା ବିବାଦକୁ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡନ୍ତୁ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ନଜର ପକାନ୍ତୁ କଣ କଣ ମୁଖ୍ୟ ପ୍ରସଙ୍ଗ ରହିଛି ଧର୍ମେନ୍ଦ୍ରଙ୍କ ଚିଠିରେ....
- ଓଡିଶା ସହ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ସୀମା ବିବାଦ ଲାଗି ରହିଛି
- ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ
- ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା
- ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ
- ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ
ତେବେ ପଡୋଶୀ ରାଜ୍ୟ ଗୁଡିକ ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ବୈଠକରେ ଓଡିଶା ଗୁଇନ୍ଦା ବିଭାଗର ତଥ୍ୟ ସହ ସମାଜର ବ୍ୟକ୍ତିବିଶେଷଙ୍କ କଥାକୁ ଗୁରୁତ୍ୱକୁ ନିଆଯାଉ । ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡିଶା ବିଧାନସଭାରେ ବିଭିନ୍ନ ଦଳର ସଦସ୍ୟ ମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଯଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟ ଆଧାରିତ ପରାମର୍ଶ ଦେବେ ବୋଲି ସେ କହିଛନ୍ତି ।

ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ହୋଇଥିବା ଉତ୍ତେଜନା ଚିଠିରେ ଉଲ୍ଲେଖ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଂଚାୟତ ଅନ୍ତର୍ଗତ ସୁନାବେଡା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ପୋଖରୀ ଖୋଳିଥିବା ଜଣାପଡିଛି । ତେଣୁ ସବୁକୁ ସମାଧାନ କରାଯିବା ସହ ସୀମାରେ ବସବାସ କରୁଥିବା ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମି ଯୋଗାଇବା ଓ ନକ୍ସଲ ଦମନ କରିବା ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।












Click it and Unblock the Notifications