ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ: ପୋଲିଂ ବୁଥରେ ପହଞ୍ଚିଲେ ଅଧିକାରୀ
ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ସକାଳ ୭ ଟାରୁ ୨୭୯ ଟି ବୁଥରେ ଭୋଟ ଦେବେ ବ୍ରଜରାଜନଗରବାସୀ ।
ଝାରସୁଗୁଡ଼ା: ଶେଷ ହେଲା କାଉଣ୍ଟଡାଉନ୍ । ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ସକାଳ ୭ ଟାରୁ ୨୭୯ ଟି ବୁଥରେ ଭୋଟ ଦେବେ ବ୍ରଜରାଜନଗରବାସୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ପହଞ୍ଚି ସାରିଲେଣି । ଉପନିର୍ବାଚନ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି ।

ଉପନିର୍ବାଚନ ପାଇଁ ୨୨ଟି ନୂଆ ବୁଥ୍ ହୋଇଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଏହି ବୁଥ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ସେହିପରି ୫୦ ପ୍ରତିଶତ ବୁଥରେ ଓ୍ୱେବକାଷ୍ଟିଂ କରାଯିବ । ୨ ଲକ୍ଷ ୧୪ ହଜାର ୮୭୮ ମତଦାତା ୨୭୯ ବୁଥରେ ମତଦାନ କରିବେ । ଉପନିର୍ବାଚନ ପାଇଁ ହଜାରେ ପୋଲିସ କର୍ମଚାରୀ ଓ ୩ କେନ୍ଦ୍ରୀୟ ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଝାରସୁଗୁଡ଼ା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।
କୋଭିଡ୍ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ମାସ୍କ, ସାନିଟାଇଜର ରଖାଯିବ । ଏଥିସହ ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇ ପାରିବେ ଭୋଟର । ଟୋଲ୍ ଫ୍ରି ନମ୍ବର- ୧୯୫୦ ଜାରି କରାଯାଇଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲା ଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।












Click it and Unblock the Notifications