କେନ୍ଦୁଝର ଲୋକସଭା ନିର୍ବାଚନ 2024: ତ୍ରିମୁଖୀ ଲଢେଇରେ କିଏ ମାରିବ ବାଜି?
କେନ୍ଦୁଝର ଲୋକସଭା ନିର୍ବାଚନ 2024: ଚଳିତ ଲୋକସଭା ନିର୍ବାଚନ ପାଇଁ ସରିଲାଣି ପ୍ରାର୍ଥା ତାଲିକା ଘୋଷଣା । ପ୍ରଚାର ମୈଦାନରେ ଲାଗିଛି ନେତାଙ୍କ ଭିଡ଼ । ନିଜ ନିଜ ଲୋକସଭା ଆସନରେ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ଏଥି ମଧ୍ୟରେ ଏଥର ବେଶ୍ ରୋଚକ ରହିଛି କେନ୍ଦୁଝର ଲୋକସଭା ଆସନ । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ସହ ଲଢେଇ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

ଚଳିତ ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ପୁରୁଣା ଚେହେରାକୁ ପୁଣି ଟିକେଟ୍ ଦେଇଛି ବିଜେପି । ଅନନ୍ତ ନାୟକଙ୍କୁ ପୁଣି ରିପିଟ୍ କରିଛି ବିଜେପି । ସେହିପରି କଂଗ୍ରେସ . ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । 2009 ରୁ ଜିତି ଆସୁଥିବା ବିଜେଡ଼ି ଏଥର ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି ।
ତିନି ନେତାଙ୍କ ମଧ୍ୟରେ କେନ୍ଦୁଝର ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହି ଆସନ 2009 ରୁ ବିଜେଡ଼ି ଦଖଲରେ ରହିଆସୁଛି । ଗତ 2019 ନିର୍ବାଚନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁ 5 ଲକ୍ଷ 26 ହଜାର 359 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଅନନ୍ତ ନାଏକ 4 ଲକ୍ଷ 60 ହଜାର 156 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମୋହନ ହେମ୍ବ୍ରମ ମାତ୍ର 1 ଲକ୍ଷ 28 ହଜାର 716 ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।
କିନ୍ତୁ ଏଥର ବିଜେଡି ଏଠାରେ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି । ଏହା ପରେ ସେ ଦଳର ବିଧାୟକ ପ୍ରାର୍ଥୀମାନଙ୍କ ସହ ମିଶି ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର ଜାରି ରଖିଛନ୍ତି । ତାଙ୍କୁ ଚମ୍ପୁଆର ବିଜେଡ଼ି ବିଧାୟକ ପ୍ରାର୍ଥ ସନାତନ ମହାକୁଡ଼ଙ୍କ ଭଲ ସମର୍ଥ ମିଳୁଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ପ୍ରଚାର ବେଳେ ବିଜେପିର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ସମସ୍ୟାରେ ପଡ଼ିଛନ୍ତି । ଦଳ ଏଯାଏଁ ତେଲକୋଇ, ଘସିପୁରା ଓ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନଥିବାରୁ ଏସବୁ ସ୍ଥାନରେ ସେ ଏକାକୀ ପ୍ରଚାର କରିପାରୁ ନାହାଁନ୍ତି । ଅନ୍ୟ ତିନିଟି ନିର୍ବାଚନମଣ୍ଡଳୀରେ ଅନନ୍ତ ବିଧାୟକ ପ୍ରାର୍ଥୀଙ୍କ ସହ ମିଶି ସଭାସମିତି ଓ ଶୋଭାଯାତ୍ରା କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ଏଠାରେ ପ୍ରଥମେ ମୋହନ ହେମ୍ବ୍ରମଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସମସ୍ତ କର୍ମକର୍ତ୍ତୀ ସମୂହ ଇସ୍ତଫା ଦେଇଥିଲେ । କିଛିଦିନ ପରେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିଲା ଏବଂ ଇଂ. ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇଥିବାରୁ ଏଥର କେନ୍ଦୁଝରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି ।
2024 ନିର୍ବାଚନ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେଉଥିବା ଚର୍ଚ୍ଚା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ଏଥର ଉନ୍ନତ ପ୍ରଦର୍ଶନ କରିବା ଆଶା କରାଯାଉଛି । ଦଳ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆନନ୍ଦପୁରରେ, ପୂର୍ବତନ ହୃଷୀକେଶ ନାଏକ ପାଟଣାରେ, ପ୍ରତିଭା ମଞ୍ଜରୀ ନାଏକଙ୍କ ଭଳି ଯୋଗ୍ୟ ନେତା ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଥିବାରୁ ଏଥର ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଆଶା କରାଯାଉଛି ।












Click it and Unblock the Notifications