ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହାରିଲେ, ତଥାପି ମିଳିପାରେ ମୁଖ୍ୟମନ୍ତ୍ରୀ ପଦବୀ
ଦେହରାଡୁନ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ବାଚନରେ ପରାଜିତ ହେବା ସମସ୍ତଙ୍କୁ ବିସ୍ମିତ କରିଛି। ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତା ପୁଣି ଥରେ ଅକ୍ତିଆର କରିବାରେ ସକ୍ଷମ ହୋଇଥିବା ବେଳେ ଧାମିଙ୍କ ପରାଜୟ ଆଶ୍ଚର୍ଯ୍ୟ ଚକିତ କରିଛି ସମସ୍ତଙ୍କୁ। ଦଳୀୟ ପ୍ରଚାରରେ ବ୍ୟସ୍ତ ରହିବା ଯୋଗୁ ଧାମି ନିଜ ଆସନରେ ଅଧିକ ଫୋକସ କରି ପାରିନଥିବା କୁହାଯାଉଛି। ଏଥିପାଇଁ ସେ ନିର୍ବାଚନ ହାରିଥିବା ନେଇ ଆଲୋଚନା ହେଉଛି।

ତେବେ ରାଜ୍ୟରେ ପୁଣି କ୍ଷମତା ହାସଲ କରିବା ନେଇ ଧାମିଙ୍କ ଅବଦାନକୁ ଦେଖି କେନ୍ଦ୍ରୀୟ ନେତୃତ୍ଵ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପାରନ୍ତି ବୋଲି ସମର୍ଥକମାନେ ଆଶା କରୁଛନ୍ତି। ଧାମିଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ, ମମତା ବାନାର୍ଜୀ ନିର୍ବାଚନ ହାରିବା ପରେ ବି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଧାମିଙ୍କ କ୍ଷେତ୍ରରେ ବି ମମତା ମଡେଲ କାର୍ଯ୍ୟକରି କରିବାକୁ ତାଙ୍କ ସମର୍ଥକମାନେ କେନ୍ଦ୍ରୀୟ ନେତୃତ୍ଵକୁ ଅନୁରୋଧ କରିଛନ୍ତି ।
ରାଜ୍ଯରେ ବିଜେପିର ପ୍ରଦର୍ଶନ:
70 ଆସନ ବିଶିଷ୍ଟ ଉତ୍ତରଖଣ୍ଡ ବିଧାନସଭାରେ 47ଟି ଆସନରେ ବିଜୟ ଲାଭ କରି ବିଜେପି ସହଜରେ ସରକାର ଗଠନ ପାଇଁ ସକ୍ଷମ ହୋଇଛି। ବିଜେପିକୁ 67 ପ୍ରତିଶତ ଏବଂ କଂଗ୍ରେସକୁ 27 ପ୍ରତିଶତ ଭୋଟ ମିଳିଛି। ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁଇଥର ନେତୃତ୍ଵ ପରିବର୍ତ୍ତନ ହୋଇଛି।

ସରକାର ଗଠନ ପରେ ସାମାନ୍ଯ ମତଭେଦ ଦେଖାଦେଇଥିଲା ରାଜ୍ୟରେ କ୍ଷମତା କନ୍ଦଳକୁ ନେଇ। ବିଜେପିର ଶୀର୍ଷ ନେତୃତ୍ଵ ଧାମିଙ୍କ ଉପରେ ନ୍ୟସ୍ତ କରିଥିଲେ ଗୁରୁ ଦାୟିତ୍ଵ। ପ୍ରାରମ୍ଭରୁ ବିବାଦୀୟ ମନ୍ତବ୍ୟ ଦେଇ ଦଳ ଓ ନିଜ ପାଇଁ ଅଡୁଆ ସୃଷ୍ଟି କରିଥିବା ଧାମି ଧୀରେ ଧୀରେ ମିଡିଆ ମ୍ୟାନେଜମେଣ୍ଟ କରିବାରେ ପୁରୁଖା ସାବ୍ୟସ୍ତ ହେଲେ।












Click it and Unblock the Notifications