ଛାତ୍ର ସଂସଦ ନିର୍ବାଚନ ନ ହେଲେ ବିଧାନସଭା ଘେରାଉ କରିପାରନ୍ତି ଛାତ୍ର ସଂଗଠନ !
ଚଳିତ ବର୍ଷ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଯଦିଓ ସରକାରୀ ଭାବରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । କିନ୍ତୁ ଶିକ୍ଷାର ବାତାବରଣକୁ ସୁଧାରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଯଦିଓ ସରକାରୀ ଭାବରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । କିନ୍ତୁ ଶିକ୍ଷାର ବାତାବରଣକୁ ସୁଧାରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ଛାତ୍ର ସଂସଦ ନିର୍ବାଚନ ନ ହେଲେ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ ।

ଅଗଷ୍ଟ ମାସରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଜୁଲାଇ ଶେଷ ସପ୍ତାହ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ଶେଷ କରିବାକୁ କୁହାଯାଇଛି । କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢ଼ାରୁ ମୁକୁଳି କ୍ୟାମ୍ପସର ସ୍ଥିତି ଯେପରି ପୂର୍ବବତଃ ଜାରି ରହିବ ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହୋଇଛି।
ଅନ୍ୟପଟେ ଯଦି ବିଗତ ବର୍ଷ କଥା କହିବା, ୨୦୧୮ରେ ତିତିଲି, ୧୯ ରେ ଛାତ୍ର ଅଶାନ୍ତି , ୨୦-୨୧ରେ କୋଭିଡ ପାଇଁ ଲଗାତାର ୫ମ ବର୍ଷ ଲାଗି ବନ୍ଦ ରହିଥିଲା ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା। ବିଳମ୍ବରେ ନାମ ଲେଖା ସହିତ ଚଳିତ ବର୍ଷ ନିର୍ବାଚନ ହେଲେ ଅଢେଇ ମାସ ପାଠପଢା ବିଳମ୍ବ ହେବ। ସେ ଦୃଷ୍ଟିରୁ ୨୦୨୨ ରେ ନିର୍ବାଚନ ନ କରିବା ପାଇଁ ଯୋଜନା ଚଳାଇଛି ଉଚ୍ଚ ଶିକ୍ଷା ବିଭାଗ । ଯଦିଓ ଏ ନେଇ ସରକାରୀ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିନ୍ତୁ ସୂତ୍ର କହୁଚି ଏହିସବୁ କାରଣ ପାଇଁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ।
ତେବେ ନିର୍ବାଚନ ବାତିଲ ହେବା ନେଇ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଛାତ୍ର ସଙ୍ଗଠନ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଗତ ୪ ବର୍ଷ ହେବ ଛାତ୍ର ନିର୍ବାଚନ ବନ୍ଦ କରିଛନ୍ତି । କିନ୍ତୁ ପିଲାଙ୍କ ଠାରୁ ନିର୍ବାଚନ ପାଇଁ ପଇସା ଆଦାୟ ହେଉଛି । ତାହା କୁଆଡେ ଯାଉଛି ବୋଲି ଏବିଭିପି ପ୍ରଶ୍ନ କରୁଛି । ଛାତ୍ରର ହକ ଓ ନ୍ୟାୟ ପାଇଁ ଇଲେକ୍ସନ ହେଉ ବୋଲି ଏବିଭିପି ଆନ୍ଦୋଳନ କରିବ। ଆବଶ୍ୟକ ପଡ଼ିଲେ ବିଧାନସଭା ଘେରାଓ କରିବ ବୋଲି ଏଭିବିପି ପକ୍ଷରୁ କୁହାଯାଇଛି ।
ସେପଟେ ଏହି ପ୍ରସଙ୍ଗରେ ସରକାର ଓ ଗଣଶିକ୍ଷା ବିଭାଗକୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ । ସରକାରରେ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ଭିତରୁ ଅନେକ ଛାତ୍ର ସଂସଦର ନେତା ହୋଇଥିଲେ । ଆଜି ସେମାନେ କାହିଁକି ନୀରବ । ଛାତ୍ର ବିଜେଡ଼ି କଣ ପାଇଁ ସ୍ଥାଣୁ ଓ କୋମାରେ ଅଛି ବୋଲି ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ ।
ସେପଟେ ଶିକ୍ଷାବିତ ମଧ୍ୟ ଏହାକୁ ନେଇ କହିଛନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ସାମିଲ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ହେଲେ କ୍ରମେ ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଦଳର ହସ୍ତକ୍ଷେପ କ୍ୟାମ୍ପସର ବାତାବରଣକୁ କଳୁଷିତ କରି ଦେଇଛି । ଛାତ୍ର ଅଶାନ୍ତି ଠାରୁ ଆରମ୍ଭ କରି ହିଂସାକାଣ୍ଡ, ଗ୍ରୁପିଜିମ ଭଳି ଘଟଣା ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ଯଦି ଛାତ୍ର ସଂସଦ ନିର୍ବାଚନର ଆଭିମୁଖ୍ୟ ପୂରଣ ହୋଇପାରୁନାହିଁ ତେବେ ଏହାକୁ ବନ୍ଦ କରିବା ସଠିକ ନିଷ୍ପତ୍ତି ।












Click it and Unblock the Notifications