ନିର୍ବାଚନ ଲଢି ପାରନ୍ତି ସୌରଭ ଗାଙ୍ଗୁଲୀ !
Sourav Ganguly: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଲୋକସଭା ନିର୍ବାଚନ 2024 ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ୬ ମାର୍ଚ୍ଚରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନବତ୍ରା ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ୩୦ ମିନିଟ୍ ଧରି ଆଲୋଚନା ହୋଇଥିବା ନେଇ ସୂଚନା ରହିଛି । ତେବେ କେଉଁ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସ ସ୍ପଷ୍ଟ ସୂଚନା ଜାରି କରାଯାଇ ନାହିଁ ।
ଏହି ବୈଠକ ପରେ ରାଜନୈତିକ ମାହୋଲରେ ଆଲୋଚନା ହେଉଛି ଯେ, ସୌରଭ ଗାଙ୍ଗୁଲି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସିଏମ ମମତା ବାନାର୍ଜୀଙ୍କ ମଧ୍ୟରେ ଏହି ସାକ୍ଷାତକାର ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ତେବେ ସେ ରାଜନୀତିରେ ଯୋଗଦେବେ କି ନାହିଁ ସେନେଇ ସୌରଭ ଗାଙ୍ଗୁଲି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହାଁନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ଗାଙ୍ଗୁଲି ନିବେଶକ ସମ୍ମିଳନୀ ପାଇଁ ମମତା ବାନାର୍ଜୀଙ୍କ ସହ ସ୍ପେନ ଯାଇଥିଲେ। ଯାହା ପରେ ସେ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା । ହେଲେ ଏହି ଖବରକୁ ମିଥ୍ୟା ବୋଲି ସ୍ପଷ୍ଟ କରିଥିଲେ ଗାଙ୍ଗୁଲି ।
ସୌରଭ ଗାଙ୍ଗୁଲି ସେତେବେଳେ କହିଥିଲେ, ମୁଁ ଜଣେ ସାଧାରଣ ବ୍ୟକ୍ତି। ମୁଁ ଜଣେ ବିଧାୟକ କିମ୍ବା ସାଂସଦ ନୁହେଁ। ମୋର କୌଣସି ରାଜନୈତିକ ସଂପୃକ୍ତି ନାହିଁ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ଯଦିଓ ସୌରଭ ଗାଙ୍ଗୁଲି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ସେ କୋଲକାତାର କୌଣସି ଏକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ।
ସେହିପରି ଗାଙ୍ଗୁଲି ବିଜେପି ନେତାଙ୍କୁ ଭେଟୁଥିବା ନେଇ ମଧ୍ୟ ସୂଚନା ରହିଛି । ନିକଟରେ ସୌରଭ ଗାଙ୍ଗୁଲି ରାଜ୍ୟରେ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଭେଟିଥିଲେ। ଗାଙ୍ଗୁଲି ଏବଂ ସୁକାନ୍ତ ମଜୁମଦାର ସଲ୍ଟ ଲେକ୍ ଆପୋଲୋ ହସ୍ପିଟାଲରେ ଭେଟିଥିଲେ। ସେହି ସମୟରେ ସାନ୍ଦଶଖାଲି ପ୍ରସଙ୍ଗରେ ବିଜେପିର ବିରୋଧ ପ୍ରଦର୍ଶନ କରୁଥିବାବେଳେ ସୁକାନ୍ତ ମଜୁମଦାର ଆହତ ହୋଇଥିଲେ ।












Click it and Unblock the Notifications