Assembly Election 2024: କଣ କହୁଛି ସାନଖେମୁଣ୍ଡି ଚବିଶି ହିସାବ ? ବଦଳିବ କି ବାଜି...
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାର ହେଭିୱେଟ୍ ଆସନ ସାନଖେମୁଣ୍ଡି । ରାଜ୍ୟ ବିଧାନସଭା ନିର୍ବାଚନ ଆସିଲେ ଏହି ଆସନ ଉପରେ ରହେ ବିଶେଷ ଫୋକସ୍ । ପ୍ରତି ନିର୍ବାଚନରେ ବାଜି ପଲଟୁଥିବା ଆସନ ସାନଖେମୁଣ୍ଡିରେ କିଏ ବାଜି ମାରିବ ତାହା ଉପରେ ରହେ ସମସ୍ତଙ୍କ ନଜର ।
ଚଳିତ ନିର୍ବାଚନ ରେ ମଧ୍ୟ ଏହି ଆସନ ରାଜନୈତିକ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛି । ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର କରିବା ସହ ଆସନ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଥିଲେ । ଗାଁ କୁ ଗାଁ ବୁଲି ଭୋଟ ଭିକ୍ଷା ସହ ଭୋଟରଙ୍କୁ ନିଜ ପକ୍ଷରେ ରଖିବାକୁ କରିଛନ୍ତି ଜୋରଦାର ପ୍ରୟାସ ।ଏଠାକାର ଭୋଟର ବିକାଶକୁ ଫୋକସ କରିଛନ୍ତି । ଚଳିତ ନିର୍ବାଚନରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାହା ଆଜି ସ୍ପଷ୍ଟ ହୋଇଯିବ ।

ଗୋଟେପଟେ କଂଗ୍ରେସ ହେଭିଓ୍ବେଟ୍ ରମେଶ ଜେନା ତ ଅନ୍ୟପଟେ ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ସାନଖେମୁଣ୍ଡି ବିଧାନସଭାରେ ଏଥର କାଣ୍ଟେ କି ଟକ୍କର । 2009 ରୁ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକକୁ ନେଇ ଗଠିତ ହୋଇଛି ଏହି ବିଧାନସଭା ଆସନ । ଚତୁର୍ଥ ଥର ପାଇଁ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡିର ସ୍କୋର ରହିଛି 2:1 । 2009 ଓ 2019ରେ କଂଗ୍ରେସ ବାଜିମାତ୍ କରିଛି ତ 2014 ରେ ସାନଖେମୁଣ୍ଡି ଜିତିଛି ବିଜେଡି ।
2009 ରେ ବିଜେପି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂହଦେଓଙ୍କୁ ହରାଇ ବିଜୟୀ ହୋଇଥିଲେ କଂଗ୍ରେସର ରମେଶ ଜେନା । 2014 ରେ କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନନ୍ଦିନୀ ଦେବୀଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଥିଲା ବିଜେଡି । ସେଥର କଂଗ୍ରେସର ରମେଶ ଜେନାଙ୍କୁ 8 ହଜାରରୁ ଅଧିକ ଭୋଟରେ ହରାଇଥିଲେ ନନ୍ଦିନୀ ଦେବୀ । 2019 ରେ ପୁଣି ମୁହାଁମୁହିଁ ହୋଇଥିଲେ ରମେଶ ଜେନା ଓ ନନ୍ଦିନୀ ଦେବୀ । ତେବେ ଏଥର ବାଜି ମାରିଥିଲେ ରମେଶ ଜେନା । 23 ହଜାରରୁ ଅଧିକ ଭୋଟରେ ନନ୍ଦିନୀ ଦେବୀଙ୍କୁ ହରାଇଥିଲେ । ଗତଥର ଗଞ୍ଜାମର ଏକମାତ୍ର ସିଟ୍ ଭାବେ ସାନଖେମୁଣ୍ଡି ଦଖଲ କରିଥିଲା କଂଗ୍ରେସ ।
କିଶୋର ଚନ୍ଦ୍ର ସିଂହଦେଓ ଓ ନନ୍ଦୀନି ଦେବୀଙ୍କୁ ପୂର୍ବରୁ ହରାଇଥିବା ରମେଶ ଜେନା ସୁଲକ୍ଷଣାଙ୍କୁ ମାତ୍ ଦେବାକୁ ଅଙ୍କ କଷିଛନ୍ତି । ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ରମେଶ ଜେନାଙ୍କର ତୃଣମୂଳସ୍ତରରେ ବଡ ସଂଗଠନ ରହିଛି । ସେପଟେ ମାତ୍ର 25 ବର୍ଷ ବୟସରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ହୋଇଥିବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରମେଶଙ୍କୁ ଚେକ୍ ଦେବାକୁ ରଣନୀତି କରିଥିଲେ । ଉଭୟ ପ୍ରଚାର ମଇଦାନରେ ବେଶ୍ ଆକ୍ଟିଭ୍ ଥିବା ଦେଖିବାକୁ ମିଳିଥିଲା ।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର 26 ପଞ୍ଚାୟତ ଓ ଧରାକୋଟ ବ୍ଲକର 18 ଟି ପଞ୍ଚାୟତ, ମୋଟ 44ଟି ପଞ୍ଚାୟତକୁ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳି ଗଠିତ । ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ସମୁଦାୟ 2 ଲକ୍ଷ 27 ହଜାର 865 ଜଣ ଭୋଟର ନିଜ ନେତା ବାଛିଥାନ୍ତି । ଚଳିତ ନିର୍ବାଚନରେ ବିଜେଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେପିରୁ ଉତ୍ତମ କୁମାର ପାଣିଗ୍ରାହୀ ଓ କଂଗ୍ରେସରୁ ରମେଶ ଚନ୍ଦ୍ର ଜେନାଙ୍କୁ ଟିକେଟ୍ ମିଳିଛି ।
2019 ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ଭୋଟିଂ ହାର ଥିଲା 68.35% । 1 ଲକ୍ଷ 47 ହଜାର 845 ଜଣ ଭୋଟ ଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା 50.75% ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କୁ 34.69% ହାରରେ 51 ହଜାର 294 ଭୋଟ ଓ ବିଜେପିର ବିଜୟ କୁମାର ସ୍ଵାଇଁଙ୍କୁ 10.37% ହାରରେ 15 ହଜାର 335 ଭୋଟ ମିଳିଥିଲା ।
23 ହଜାର 727 ଭୋଟ ବ୍ୟବଧାନରେ କଂଗ୍ରେସରୁ ରମେଶ ଜେନା ବିଜୟୀ ହେଇଥିଲେ। ଗତ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ଭୋଟର ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୋଟ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେବେ ଲୋକମାନେ ଅଞ୍ଚଳର ବିକାଶ ପାଇଁ କାହାକୁ ଯୋଗ୍ୟ ପ୍ରାର୍ଥୀ ଭାବିଛନ୍ତି ତାହା କିଛି ସମୟ ମଦ୍ୟରେ ସ୍ପଷ୍ଟ ହୋଇଯିବ ।












Click it and Unblock the Notifications