ରୁଦ୍ରଙ୍କ ଆଖିରେ ଲୁହ : ଟିକେଟ୍ ନେବା ପରେ ମାଙ୍କୁ ମୁଣ୍ଡିଆ ମାରିଲେ, ପ୍ରତିଭା କହିଲେ ମା' ଥିଲେ ପୁଅ ଦୁନିଆ ଡରେନି
ପିପିଲିରୁ ପ୍ରାର୍ଥୀ ହୋଇଥିବା ଦିବଙ୍ଗତ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ପୁଅ ରୁଦ୍ର ପ୍ରତାପ ମହାରଥୀ ସପରିବାରେ ନବୀନ ନିବାସରେ ପହଞ୍ଚି ଟିକେଟ ନେଇଥିଲେ । ଏହି ଅବସରରେ ପ୍ରତିକ୍ରିୟା ଦେଇଥିଲେ ମା ପ୍ରତିଭା ମହାରଥା ।
ଭୁବନେଶ୍ୱର : ପିପିଲିରୁ ପ୍ରାର୍ଥୀ ହୋଇଥିବା ଦିବଙ୍ଗତ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ପୁଅ ରୁଦ୍ର ପ୍ରତାପ ମହାରଥୀ ସପରିବାରେ ନବୀନ ନିବାସରେ ପହଞ୍ଚିଥିଲେ । ମା ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ ରୁଦ୍ର । ରୁଦ୍ର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଆର୍ଶୀବାଦ ନେବା ସହ ଟିକେଟ୍ ଆଣିଥିଲେ । ଆସନ୍ତା 30 ତାରିଖରେ ସେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ରୁଦ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇକି ମୋର ବିଶ୍ୱାସ ଅଛି ଯେ ବାପାଙ୍କ ଅଧୁରା ସ୍ୱପ୍ନ ଓ ପିପିଲି-ଡେଲାଙ୍ଗବାସୀଙ୍କ ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ରୁଦ୍ର । ସେହପରି ତାଙ୍କ ଭଉଣୀ ପଲ୍ଲବୀ କହିଛନ୍ତି ମୁଁ ବାପାଙ୍କ ସହିତ ସବୁବେଳେ ରହିଥିଲି ।

ଆମ ପରିବାର ଓ ମୋ ଭାଇକୁ ପୁଣି ଥରେ ବିଶ୍ୱାସ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଆହୁରି ମଧ୍ୟ ସେ କହିଛନ୍ତି ବାପା ଯେପରି ପିପିଲି-ଡେଲାଙ୍ଗ ମାଟି ପାଇଁ ଲଢୁଥିଲେ ଯେତିକି କାମ କରିଥିଲେ ତାକୁ ଆହୁରି ଆଗକୁ ନେବୁ । ମହାରଥା ପରିବାର ସବୁବେଳେ ପିପିଲି-ଡେଲାଙ୍ଗବାସୀଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି ।
'ମା ଥିଲେ ପୁଅ ଦୁନିଆ ଡରେନି'
ନବୀନ ନିବାସରେ ଟିକେଟ୍ ଆଣିବା ପରେ ମାଙ୍କୁ ମୁଣ୍ଡିଆ ମାରିଥିଲେ ରୁଦ୍ର । ଏଥିସହିତ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରତିଭା ମହାରଥୀ କହିଛନ୍ତି ଯେ, ରୁଦ୍ର ପ୍ରତାପ ନିଷ୍ଚିନ୍ତ ଭାବରେ ବିଜୟ ଲାଭ କରିବ । ତା ମୁଣ୍ଡ ଉପରେ ମୋ ବରଦ ହସ୍ତ ଅଛି । ତା ମୁଣ୍ଡ ଉପରେ ମୋର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆର୍ଶୀବାଦ ରହିଛି । ସ୍ୱର୍ଗତ ମହାରଥୀଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିବ । ଚର୍ଚ୍ଚା ସମ୍ପୂର୍ଣ୍ଣ ମିଛ । ଆଗରୁ ଯାହା ଥିଲା ଏବେ ସମସ୍ତେ ଏକାଠୀ ଅଛୁ ବୋଲି କହିଛନ୍ତି ପ୍ରତିଭା ।

ଗୋଟିଏ ଘରେ ଆମେ ଗୋଟିଏ ସୂତ୍ରରେ ବାନ୍ଧି ହୋଇକି ରହିଛୁ । ଏଥିସହିତ ସେ କହିଛନ୍ତି ବାପା ଥିଲେ ପୁଅ ସଭାରେ ହାରେନି, ମା ଥିଲେ ପୁଅ ଦୁନିଆ ଡରେନି । ସରକାରୀ ଚାକିରିଆ ହୋଇଥିବାରୁ ସେ ପ୍ରଚାର ମଇଦାନକୁ ଯିବେ ନାହିଁ ବୋଲି କହିଛନ୍ତି । ଆବଶ୍ୟକ ହେଲେ ପଲ୍ଲବୀ ଓ ଅର୍ଦ୍ଧେନ୍ଦୁ ପ୍ରଚାର ମଇଦାନକୁ ଯିବେ । ଭାଇ ପାଇଁ ନିଶ୍ଚିନ୍ତ ଯିବେ । ମହାରଥୀ ଜଗନ୍ନାଥଙ୍କ ଭକ୍ତ ଥିଲେ, ପ୍ରବାଦ ପୁରୁଷ ବିଜୁ ବାବୁ ମଧ୍ୟ ଜଗନ୍ନାଥଙ୍କ ଭକ୍ତ ଥିଲେ, ନବୀନ ବାବୁ ମଧ୍ୟ । ଜଗନ୍ନାଥଙ୍କ ଆର୍ଶୀବାଦ ମଧ୍ୟ ରହିବ । ମାର ଆର୍ଶୀବାଦ ସବୁଠାରୁ ଉଚ୍ଚରେ । ମାର ଆର୍ଶୀବାଦରେ ବିପୁଳ ଭୋଟରେ ଜିତିବ ବୋଲି ଶେଷରେ କହିଛନ୍ତି ପ୍ରତିଭା ।












Click it and Unblock the Notifications