ରାଜ୍ୟସଭା ନିର୍ବାଚନ: କାହାକୁ ଦିଲ୍ଲୀ ପଠାଇବେ ନବୀନ, ରେସରେ ଅନେକ ହେଭିୱେଟ୍...
ଓଡିଶାରେ ୩ଟି ଆସନ ଖାଲି ହେବ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।
ଭୁବନେଶ୍ୱର: ବାଜିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ମେ' ୨୪ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମେ' ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଜୁନ ୧ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଜୁନ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଜୁନ ୧୦ ତାରିଖରେ ହେବ ଭୋଟ୍ ଗ୍ରହଣ ।

ତେବେ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିଧାନସଭାରେ ବିଜେଡିର ଯେଉଁ ସଂଖ୍ୟା ରହିଛି, ସେଥିରେ ବିରୋଧୀ ଦଳ କୌଣସି ଆସନ ହାସଲ କରିବାର ପ୍ରାୟତଃ ସମ୍ଭାବନା ନାହିଁ । ଫଳରେ ବିଜେଡି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଏବେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନକୁ ବିଜେଡି ଅକ୍ତିଆର କରିବ ।
ଏପରି ସ୍ଥଳେ କାହାକୁ ରାଜ୍ୟସଭା ପ୍ରାର୍ଥୀ କରିବେ ନବୀନ ? ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ରେସରେ ବି ଅନେକ ନାଁ ରହିଛି । ପଶ୍ଚିମଓଡିଶାରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂଓଦେଓ, ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଓଟିଡିସି ଅଧ୍ୟାକ୍ଷା ଶ୍ରମୟୀ ମିଶ୍ର, ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେଶ ସିଂ, ନଳୀନି ପ୍ରଧାନ, ପ୍ରଭାସ ସିଂ ପ୍ରମୁଖ ।
ଅନ୍ୟପଟେ ପୁଣି ଥରେ ସସ୍ମିତ ପାତ୍ରଙ୍କୁ ଦିଲ୍ଲୀକୁ ପଠାଇ ପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ରାଜ୍ୟସଭା ସାଂସଦ ଭାବେ ମାତ୍ର ୩ ବର୍ଷ ଧରି ସସ୍ମିତ ପାତ୍ର ରହିଥିଲେ ବି ଅନେକ ପ୍ରସଙ୍ଗରେ ରାଜ୍ୟସଭାରେ ସେ ପକ୍ଷ ରଖି ପ୍ରଶଂସିତ ହୋଇଛନ୍ତି । ସେହିପରି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରିପିଟ୍ କରିବାର ସମ୍ଭାବନା ମଧ୍ୟ ରହିଛି । ସେପଟେ ଦକ୍ଷିଣ ଓଡିଶାରୁ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବି ନନ୍ଦ ଓ କଂଗ୍ରେସରୁ ବିଜେଡି ଆସିଥିବା ପ୍ରଦୀପ ମାଝୀ ପ୍ରମୁଖ ତାଲିକାରେ ରହିଛନ୍ତି ।












Click it and Unblock the Notifications