ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ଵର : ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କୁ ବିଜେଡି ସମର୍ଥନ ଜଣାଉଛି ।
ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ଅନେକ ବିଧାୟକ ମଧ୍ୟ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତି ରହିଥିଲେ । ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ସମର୍ଥନ କରିଛି ବିଜେଡି । ଏନେଇ ପ୍ରେସ ରିଲିଜ ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଦାଖଲକୁ ଆସି ନଥିଲେ ବିଜେଡି ବିଧାୟକ । ସମର୍ଥନ ଘୋଷଣା ସତ୍ତ୍ୱେ କୌଣସି ବିଜେଡି ବିଧାୟକ ଆସିଲେନି । ବିଜେପି ନେତା, ବିଧାୟକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ଅଶ୍ଵିନୀ ।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପି କାର୍ଯ୍ୟାଳୟରୁ ସିଧାସଳଖ ବିଧାନସଭାରେ ପହଞ୍ଚିଥିଲେ । ଏହାପରେ ଅଶ୍ୱିନୀ ରିଟର୍ଣ୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇଥିଲେ । ତାଙ୍କ ସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ସଚେତନ ମୋହନ ମାଝି, ବିଧାୟକ ନାଉରୀ ନାୟକ, ନବ ମାଝି, ବିଧାୟିକା କୁସୁମ ଟେଡେ ପ୍ରମୁଖ ଉପସ୍ଥିତ ଥିଲେ ।
ପୂର୍ବଥର ମଧ୍ୟ ଅଶ୍ୱିନୀ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ । ୨୦୨୪ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।
ଆଉ ଥରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅଶ୍ୱିନୀ । ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଆଶୀର୍ବାଦରୁ ଓଡ଼ିଶାର ସେବା କରିବି ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ସବୁବେଳେ ସେବା ମନୋଭାବ ରହିଥାଉ । ଓଡ଼ିଶାକୁ ବିକଶିତ ପ୍ରଦେଶ କରିବା ମୋଦିଙ୍କ ପ୍ରୟାସକୁ ସାକାର କରିବି ।
ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ ।












Click it and Unblock the Notifications