Puri Lok Sabha Election: କାହା ପକ୍ଷରେ ରହିବ ଜନମତ ? ଶଙ୍ଖନାଦ ନା ମୋଦୀ ହାୱା...
Puri Lok Sabha Election: ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଆସନ ପୁରୀ ଲୋକସଭା । ଏହି ଆସନରେ ଦେଖିବାକୁ ମିଳୁଛି ଜୋରଦାର ଲଢେଇ । ବିଜେଡ଼ି-ବିଜେପି-କଂଗ୍ରେସ ପ୍ରାର୍ଥୀ ନିଜ ପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଜୋରଦାର କରିଛନ୍ତି ପ୍ରଚାର । ତେବେ ଏଥର ପୁରୀ ଲୋକସଭାରେ କାହା ସପକ୍ଷରେ ଯିବ ଜନମତ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ପୁରୀ ଆସନରୁ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ତିନିଥରର ସାଂସଦ ପିନାକୀ ମିଶ୍ରଙ୍କ ସ୍ଥାନରେ ଅରୂପ ପଟ୍ଟନାୟକ ହୋଇଛନ୍ତି ପ୍ରାର୍ଥୀ । ସେହିପରି ବିଜେପି ପୁଣି ସମ୍ବିତ ପାତ୍ରଙ୍କୁ ରିପିଟ୍ କରିଛି । ସେପଟ୍ କଂଗ୍ରେସରୁ ଟିକେଟ୍ ପାଇଛନ୍ତି ଜୟନାରାୟଣ ପଟ୍ଟନାୟକ । ଗତଥର ୧୧ ହଜାର ଭୋଟରେ ହାରିଥିଲେ ସମ୍ବିତ । ଏଥର ପୁରୀ ବିଜୟ ପାଇଁ ସମସ୍ତ ପ୍ରକାର ଶକ୍ତି ଲଗାଇଛନ୍ତି ସମ୍ବିତ । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜୟନାରାୟଣ ପଟ୍ଟନାୟକ ।

ହେବ ତ ଶଙ୍ଖନାଦ?
ପୁରୀ ଲୋକସଭା ଆସନ ଅଧୀନରେ ରହିଛି ୭ଟି ବିଧାନସଭା ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ । ଏଥିରୁ ୨୦୧୯ ନିର୍ବାଚନରେ ପୁରୀ, ବ୍ରହ୍ମଗିରି ବିଜେପି ଖାତାକୁ ଯାଇଥିବା ବେଳେ ଅନ୍ୟ ୫ଟି ଆସନରେ ବିଜେଡ଼ି ବିଧାୟକ ଜିତ୍ ହାସଲ କରିଥିଲେ । ବିଜେଡି ୫ ଟି ବିଧାନସଭା ହାତେଇଥିଲେ ମଧ୍ୟ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ଲଗାତାର ଷଷ୍ଠଥର ଧରି ବିଜେଡି ଏହି ଲୋକସଭା ଆସନକୁ ନିଜ ଦଖଲରେ ରଖିଛି । ଏଥର ମଧ୍ୟ ପୁଣି ଶଙ୍ଖନାଦ ବଜାଇବାକୁ ଜୋରଦାର ପ୍ରୟାସ କରୁଛି ଦଳ । ହେଭିୱେଟ୍ ଙ୍କ ପ୍ରଚାର ସହ ତୃଣମୂଳସ୍ତରରେ କରାଯାଉଛି ମ୍ୟାନେଜମେଣ୍ଟ ।
ବିଜେଡି ନେତା ଭିକେ ପାଣ୍ଡିଆନ୍ ପୁରୀ ଲୋକସଭା କ୍ଷେତ୍ରରେ ମାରାଥନ୍ କ୍ୟାମ୍ପେନିଂ କରିଛନ୍ତି । ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେପିକୁ ସିଧା ଟାର୍ଗେଟ୍ କରିଛନ୍ତି । ବିଜେପି ପ୍ରତିଶ୍ରୁତିକୁ ଆଙ୍ଗୁଳି ଦେଖାଇ ଗର୍ଜିଛନ୍ତି ପାଣ୍ଡିଆନ ।
ପରିବର୍ତ୍ତନ ଆଣିବ ମୋଦୀ ହାୱା !
୨୦୧୯ ନିର୍ବାଚନରେ କଡ଼ା ଟକ୍କର ଦେଇଥିବା ବିଜେପି ଏଥର ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି । ଏପରିକି ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ର ନେତୃତ୍ୱ । ପୁରୀକୁ ନିଜ ଦଖଲକୁ ଆଣିବା ପାଇଁ ବଡଦାଣ୍ଡକୁ ନିଜେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପୁରୀ ଗସ୍ତ କରି ରୋଡ୍ ସୋ କରି ଜୋରଦାର ପ୍ରଚାର କରିଛନ୍ତି । ଏହା ସହ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଜୋରଦାର ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସମ୍ବିତଙ୍କ ପାଇଁ ନିଜେ ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ଭୋଟରଙ୍କ ମୁଡ ଉପରେ ଏହାର ପ୍ରଭାବ କେତେ ଦୂର ପଡ଼ିବ ତାହା ଉପରେ ରହିଛଇ ନଜର । କେବଳ ମୋଦି ନୁହେଁ ପୁରୀ ପାଇଁ ମଇଦାନରେ ବିଜେପି ହେଭିଓ୍ବେଟ୍ ପ୍ରଚାର ମଙ୍ଗ ଧରୁଛନ୍ତି । ପିପିଲିରେ ହେମାମାଳିନୀ ପ୍ରଚାର କରିଛନ୍ତି ତ କୃଷ୍ଣପ୍ରସାଦରେ ନୀତିନ ଗଡକରୀ ଭୋଟ୍ ମାଗିଛନ୍ତି ।
ଏଥିମଧ୍ୟରେ ଦୁଇ ଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶ୍ରେୟକୁ ଭୋଟରେ ରୂପାନ୍ତର କରିବାକୁ ଉଦ୍ୟମ କରୁଛି । ପୁରୀ ବିକାଶର କଥା କହି ଭୋଟରଙ୍କୁ ନିଜ ଆଡକୁ କରିବାକୁ ବିଜେଡି ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଜୋରଦାର କାଉଣ୍ଟର କରିଛି ବିଜେପି । ରତ୍ନଭଣ୍ଡାର ଚାବି କୁଆଡେ ଗଲା? କାହିଁକି ଡୁପ୍ଲିକେଟ୍ ଚାବି କରାଗଲା? ବୋଲି ପ୍ରଶ୍ନ କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ଏଥିସହ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ବି ପ୍ରତିଶ୍ରୁତି ଦେଇଛି ବିଜେପି ।
କାହାକୁ ବଳ ଦେବ ବିଧାନସଭା ?
ପୁରୀ ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭାରୁ ୫ଟିରେ ବିଜେଡିର ରହିଛି ଦବଦବା । ତେବେ ଏଥର ସମୀକରଣ ବଦଳିବ କି ? ପୁରୀରେ ମୋଦିଙ୍କ ରୋଡ୍ ଶୋ ପରେ ବିଜେପି ସପକ୍ଷରେ ଯିବକି ମାହୋଲ୍ । ବ୍ରହ୍ମଗିରି ଓ ସତ୍ୟବାଦୀରେ ପ୍ରାର୍ଥୀ ଅଦଳବଦଳ କରିଛି ବିଜେଡି । ଏହାର ପ୍ରଭାବ ଫଳାଫଳ ଉପରେ ପଡିପାରେ । ସବୁ ବିଧାନସଭାରେ କଡା ଟକ୍କର ହେବ । ତେଣୁ ପୁରୀରେ ବିଜେଡି ପାଇଁ ଗଡ ରକ୍ଷା ଚ୍ୟାଲେଞ୍ଜ ତ ଜିତିଲେ ବିଜେପି ପାଇଁ ବଡ ଉପଲବ୍ଧି ହେବ ।












Click it and Unblock the Notifications