ମୁର୍ମୁଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ରିଟର୍ଣ୍ଣିଂ ଅଧିକାରୀ
ନିର୍ବାଚନର ପରିଚାଳନା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ରାଜ୍ୟସଭା ସଚିବ ପି.ସି ମୋଦି ଦ୍ରୌପଦୀଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀ: ବିଜୟୀ ହେଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ତୃତୀୟ ରାଉଣ୍ଡରେ ଫଳାଫଳ ସ୍ପଷ୍ଟ ହୋଇଯାଇଥିବା ବେଳେ ଗଣତି ଶେଷରେ ତାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜେତା ଘୋଷଣା କରାଯାଇଛି । ନିର୍ବାଚନର ପରିଚାଳନା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ରାଜ୍ୟସଭା ସଚିବ ପି.ସି ମୋଦି ଦ୍ରୌପଦୀଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ମୁର୍ମୁଙ୍କୁ ମୋଟ 64.03 ପ୍ରତିଶତ ସହ 6,76,803 ଭୋଟ ମିଳିଛି । ସେହିପରି ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନା 35.97 ପ୍ରତିଶତ ସହ ମୋଟ 3,80,177 ଭୋଟ ପାଇଛନ୍ତି । ଗଣତି ବେଳେ ପ୍ରଥମେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରୁ ବଡ ବ୍ୟବଧାନରେ ଆଗରେ ଥିଲେ ମୁର୍ମୁ । ପରେ ପର୍ଯ୍ୟାୟକ୍ରମେ ବିଧାନସଭା ଭୋଟ ଗଣତି ହୋଇଥିଲା । ତୃତୀୟ ରାଉଣ୍ଡରେ ସେ ବିଜୟୀ ହେବା ପାଇଁ ଆବଶ୍ୟକୀୟ ମ୍ୟାଜିକ ନମ୍ବର ଅତିକ୍ରମ କରିଥିଲେ ।

ମୁର୍ମୁଙ୍କ ବିଜୟ ଲାଭ ପରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦେଶ ଓ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ମାସ 24 ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ 25ରେ 15ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।












Click it and Unblock the Notifications