ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା
ବିଜେଡିରେ ସାମିଲ ହେବା ନେଇ ପ୍ରଦୀପ ମାଝୀଙ୍କ ଘୋଷଣା । ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି।
ନବରଙ୍ଗପୁର: ବିଜେଡିରେ ସାମିଲ ହେବା ନେଇ ପ୍ରଦୀପ ମାଝୀଙ୍କ ଘୋଷଣା । ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ଖୁବଶୀଘ୍ର ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବେ ବୋଲି ଆଜି ପ୍ରେସମିଟ କରି ଏକଥା କହିଛନ୍ତି ପ୍ରଦୀପ ।

ପ୍ରେସମିଟରେ ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ । ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି । ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ । ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ । ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ । କାରଣ କଂଗ୍ରେସ ଆଉ ସରକାରଙ୍କୁ ଫେରିବ ନାହିଁ ।

ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି। ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ରଚିଛି। ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ। ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପ୍ରଦୀପ କହିଛନ୍ତି ।
ଉଲ୍ଲେଖଥାଉ କି, ଦୁଇ ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ସାଂଗଠନିକ ସ୍ତରରେ କଂଗ୍ରେସ ଦୁର୍ବଳ ହୋଇଯାଇଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ। କଂଗ୍ରେସରେ ରହି ଆଉ ଲୋକଙ୍କ ସେବା କରିବା ସମ୍ଭବ ନୁହେଁ ବୋଲି ସେ ଉଲ୍ଲେଖ କରିବା ସହିତ ଅତ୍ୟନ୍ତ ଦୁଃଖ ଓ କଷ୍ଟର ସହିତ ଦଳ ଛାଡ଼ୁଥିବା ଲେଖିଥିଲେ।












Click it and Unblock the Notifications