Assembly Election 2024: ଘଷିପୁରାରୁ ଲଢିବେ ସୌମ୍ୟ !
କେନ୍ଦୁଝର: ସାରା ରାଜ୍ୟରେ ଲାଗି ରହିଛି ନିର୍ବାଚନୀ ତାତି । ପ୍ରାୟତଃ ଆସନରେ ଦଳମାନେ ପ୍ରାର୍ଥୀ ଘୋଷଣା କରିବା ସହ ଜୋରଦାର ପ୍ରଚାର ଆରମ୍ଭ କରିଦେଲେଣି । କିନ୍ତୁ ଅନେକ ଆସନକୁ ନେଇ ଏବେ ବି ଲାଗି ରହିଛି ସସପେନ୍ସ । ଏଥି ମଧ୍ୟରୁ ଗୋଟିଏ ଆସନ ହେଲା କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀ ।
ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ୱ ବହନ କରେ ଏହି ଆସନ । ବିଜେଡିର ଗଡ଼ ରହିଆସିଥିବା ଘଷିପୁରା ଆସନରେ ମୁଖ୍ୟତଃ ବିଜେଡ଼ି-କଂଗ୍ରେସ ମଧ୍ୟରେ ଫାଇଟ୍ ଦେଖିବାକୁ ମିଳେ । କିନ୍ତୁ ଏଥର ଚିତ୍ର ଅଳଗା ରହିଛି । ବିଜେଡ଼ି ଏହି ଆସନରୁ ତାର ପାରମ୍ପରିକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କୁ ଟିକେଟ୍ ଦେଇଛି । ଏହି ଆସନରୁ ପୂର୍ବରୁ କଂଗ୍ରେସ ପକ୍ଷରୁ ଭେଟେରାନ୍ ନେତା ନିରଞ୍ଜନ ପଟ୍ଟନାୟକ ଲଢୁଥିଲେ ମଧ୍ୟ ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି, ଯାହାକୁ ନେଇ ଲାଗି ରହିଛି ଅନେକ ଚର୍ଚ୍ଚା ।

ଏହି ସବୁ ମଧ୍ୟରେ, ଘଷିପୁରା ଆସନରୁ ବିଜେପି ପକ୍ଷରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେପି ତାଙ୍କୁ ବଦ୍ରିଙ୍କ ବିରୋଧରେ ଫିଲ୍ଡିଂ କରିପାରେ ବୋଲି କୁହାଯାଉଛି । ଏହି ସବୁ ଚର୍ଚ୍ଚା ଭିତରେ ସୌମ୍ୟ ରଞ୍ଜନ ଘଷିପୁରା ଗସ୍ତ କରିବା ଏବଂ ଲୋକକଙ୍କ ସହ ମିଶିବା ଘଟଣା ଏହି କଳ୍ପନାଜଳ୍ପନାକୁ ଆହୁରି ଖୋରାକ୍ ଯୋଗାଉଛି । ଏପରିକି ବିଜେପି ତାଙ୍କୁ ପ୍ରାର୍ଥୀ ହେବା ଲାଗି ପ୍ରସ୍ତାବ ଦେଇଥିବା ନେଇ ସେ ଗଣମାଧ୍ୟମ ଆଗରେ କହିଛନ୍ତି । କିନ୍ତୁ ପ୍ରାର୍ଥିତ୍ୱ ସଂପର୍କରେ ଦିନେ ଦୁଇଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।
ଏପରିକି, ଗତକାଲି ସେ ଘସିପୁରା ଗସ୍ତ କରିବା ସହ ଘଟଗାଁ ଯାଇ ମା' ତାରିଣୀଙ୍କ ଦର୍ଶନ କରିଥିଲେ । ଏହି ସମୟରେ ସେ କହିଥିଲେ, ଘଷିପୁରାରେ ଅନ୍ୟାୟ ବିରୋଧରେ ଯେଉଁ ଯୁଦ୍ଧ ହେବ, ସେଥିରେ ଘସିପୁରାବାସୀଙ୍କ ସହିତ ଆଜିଠୁ ସାମିଲ ହେଲି । ତାଙ୍କର ଏଇ ପଦଟି ସେ ଘଷିପୁରାରୁ ଲଢିବା ନେଇ ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି ।
ଅପରପକ୍ଷରେ ଘସିପୁରା ଆସନରୁ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହେଉଥିଲେ । ସେ ଏଠାରୁ ଆଉ ଲଢ଼ୁନାହାନ୍ତି, ଏଣୁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଅଞ୍ଚଳର ନେତୃବୃନ୍ଦ, ମୁରବୀ, ସାଧାରଣସେବୀ ଏହି ଅଞ୍ଚଳରୁ ପ୍ରତିନିଧିତ୍ୱ ପାଇଁ ଚାପ ପକାଉଛନ୍ତି ବୋଲି ମଧ୍ୟ କହିଛନ୍ତି ସୌମ୍ୟ ।
ତେବେ ଏବେ ପ୍ରଶ୍ନ ଉଠୁଛି, ଯଦି ସୌମ୍ୟ ବିଜେପିରୁ ଘଷିପୁରା ପ୍ରାର୍ଥୀ ହୁଅନ୍ତି, ତାହେଲେ ନିରଞ୍ଜନ ପଟ୍ଟନାୟକଙ୍କ ଭୋଟ୍ ବିଜେପି ଭୋଟ୍ ରେ ପରିଣତ ହେବ କି ? ନା ଯୁବ ଚେହେରା ସୁବ୍ରତ ଚକ୍ର ଏହି ଭୋଟ୍ ବ୍ୟାଙ୍କକୁ ବଜାୟ ରଖିବାରେ ସମର୍ଥନ ହେବେ । ଏପରିକି ବିଜେଡିର ଏହି ଆସନରେ ଭଲ ଭୋଟ୍ ରହିଛି । ସେହି ଭୋଟ୍ କୁ ବଦ୍ରି ବିଜେଡ଼ି ଖାତାରେ ରଖିବାରେ ସଫଳ ହେବେ ତ ? ସାଧାରଣତଃ ଏହି ଆସନରେ ପୂର୍ବରୁ କଂଗ୍ରେସ-ବିଜେଡ଼ି ମଧ୍ୟରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳୁଥିବା ବେଳେ, ଏଥର ବିଜେପି ଏହି ଲଢେଇରେ ବେଶ୍ ସକ୍ରିୟ ହୋଇ ସାମିଲ ହୋଇପାରେ ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ, ସୌମ୍ୟ ପଟ୍ଟନାୟକ 2019 ନିର୍ବାଚନରେ ଖଣ୍ଡପଡ଼ା ଆସନରୁ ବିଜେଡ଼ି ଟିକେଟ୍ ରେ ଲଢିଥିଲେ । କିନ୍ତୁ ପରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ଏଥର ଦଳ ତାଙ୍କୁ ପୁଣି ଆପଣେଇ ନେଇ ଟିକେଟ୍ ଦେଇପାରେ ବୋଲି ମଧ୍ୟ କିଛି ଚର୍ଚ୍ଚା ରହିଛି । ଏପରିକି ବିଜେଡ଼ି ଏହି ଆସନରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଯାହାକି ଏହି ଚର୍ଚ୍ଚାକୁ ବଢାଇ ଦେଉଛି । ତେବେ ଏ ନେଇ କିଛି ସ୍ପଷ୍ଟ କରିନାହାଁନ୍ତି ସୌମ୍ୟ ।
ଆସନ୍ତା ଦୁଇ-ତିନି ମଧ୍ୟରେ ସମସ୍ତ ସସପେନ୍ସ ଦୂର ହେବ ବୋଲି ଆଶା କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଲାଗି ରହିଛି ।












Click it and Unblock the Notifications