ପଞ୍ଚାୟତ ନିର୍ବାଚନ ୨୦୨୨: କୋଟିଆରେ ଗୋଟିଏ ପୋଷ୍ଟରେ ନବୀନ, ନିରଞ୍ଜନ, ସମୀର
ସର୍ବଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପୋଷ୍ଟରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଫଟୋ ରହିଛି ।
ଭୁବନେଶ୍ୱର: କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଏକଜୁଟ ହୋଇଛନ୍ତି । କୋଟିଆରେ ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ବିଜୟ ପାଇଁ ଉଦ୍ୟମ ଫେଲ ମାରିବା ପରେ ଏବେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁଦଳର ନେତାଙ୍କ ଉଦ୍ୟମ କରୁଛନ୍ତି । ସର୍ବଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପୋଷ୍ଟରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଫଟୋ ରହିଛି ।

ରାଜ୍ୟ ରାଜନୀତିରେ ଏମିତି ଘଟଣା କେବେ ଦେଖିବାକୁ ମିଳି ନଥିଲା। ଆଗକୁ ବି ଦେଖିବା ସମ୍ଭାବନା କମ୍। ଦଳୀୟ ନୀତି ଓ ମତର ଉର୍ଦ୍ଧ୍ବକୁ ଯାଇ ଗୋଟିଏ ମଞ୍ଚରେ ବିଜେଡି, କଂଗ୍ରେସ ଓ ବିଜେପିର ବରିଷ୍ଠ ନେତା।
ଆନ୍ଧ୍ରକୁ ଉଚିତ ଜବାବ୍ ଦେବା ପାଇଁ କୋଟିଆରେ ସର୍ବସମ୍ମତି କ୍ରମେ ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ କୋରାପୁଟ ଜିଲ୍ଲାର ତିନି ପ୍ରମୁଖ ଦଳ। ବିନା ମତପାର୍ଥକ୍ୟରେ ପଟାଙ୍ଗି ଜୋନ୍-୧ ଜିଲ୍ଲା ପରିଷଦ ଆସନରେ ମମତା ଜାନୀଙ୍କୁ ପ୍ରାର୍ଥୀ କଲେ। କିନ୍ତୁ ସର୍ବଦଳୀୟ ନେତାଙ୍କ ଯୋଜନାକୁ ଶେଷ ମୁହୂର୍ତ୍ତରେ ବିଗାଡ଼ି ଦେଲେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଏହାପରେ ସମ୍ମାନ ପାଇଁ ହାତ ମିଳାଇବାକୁ ବାଧ୍ୟ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ଯାହାକି ଏହି ଆସନର ଗୁରୁତ୍ବକୁ କଳ୍ପନା ଠାରୁ ବହୁ ଅଧିକ ବଢ଼ାଇ ଦେଇଛି। ଆଜି ମମତାଙ୍କ ସମର୍ଥନରେ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ନିମାଇଁ ସରକାର ପ୍ରମୁଖ ଗୋଟିଏ ମଞ୍ଚରେ ଏକାଠି ବସିଥିଲେ। ଏହା ସହ ମଞ୍ଚରେ ଲାଗିଥିବା ବିଶାଳ ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଫଟୋ ରହିଥିଲା। କୋରାପୁଟ ସାଂସଦ ଓ ଜୟପୁର ବିଧାୟକଙ୍କ ଫଟୋ ମଧ୍ୟ ଏଥିରେ ସ୍ଥାନ ପାଇଥିଲା।
ତେବେ କେଉଁ ନିର୍ଦ୍ଦିଷ୍ଟ ଦଳର ଚିହ୍ନରେ ଲଢୁନାହାନ୍ତି ମମତା । ପୂର୍ବରୁ ବେଆଇନ ଭାବେ କୋଟିଆରେ ନିର୍ବାଚନ କରିଥିଲା ଆନ୍ଧ୍ର । ଏବେ ଓଡ଼ିଶା ବିଧିବଦ୍ଧ ଭାବେ ନିର୍ବାଚନ କରିବାକୁ ଯାଉଛି । ତେବେ କୋଟିଆବାସୀ କ'ଣ ଚାହୁଁଛନ୍ତି, ତାହା ଜଣାପଡିବ ଯେତେବେଳେ ନିର୍ବାଚନ ଫଳାଫଳ ଆସିବ ।












Click it and Unblock the Notifications