ନବୀନ-ମମତା ଭେଟଘାଟ୍ ରାଜନୈତକ ନୂହେଁ, ସୌଜନ୍ୟ ମୂଳକ ସାକ୍ଷାତକାର

ଭୁବନେଶ୍ୱର: ଆଜି (ଗୁରୁବାର) ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦୁଇ ଦିନିଆ ପୁରୀ ଗସ୍ତ ସମାପନ କରି ସଡକ ପଥରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ମମତା ।
ତେବେ ସାକ୍ଷାତ ଆଲୋଚନା ପରେ, ଦୁଇ ନେତା ବାହାରକୁ ଆସି ଗଣମାଧ୍ୟମରେ ମିଳିତ ବିବୃତି ରଖିଛନ୍ତି । ଉଭୟ ନେତା ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ରାଜନୈତିକ ଭେଟଘାଟ ନଥିଲା, ବରଂ କେବଳ ସୌଜନ୍ୟମୂଳକ ସାକ୍ଷାତ ଥିଲା ।

ସାକ୍ଷାତକାର ବେଳେ ଦୁହେଁ ଦୁହିଁଙ୍କୁ ଭେଟି ଦେଇଛନ୍ତି ଉପହାର । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସାଲ୍ ଉପହାର ଦେଇଥିବା ବେଳେ ନବୀନ ମମତାଙ୍କୁ ଉପହାର ସ୍ୱରୁପ ଛେନାପୋଡ ଦେଇଛନ୍ତି । ତାହା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଏବଂ ତିନି ରଥର ପ୍ରତିକୃର୍ତ୍ତି ଦେଇ ନବୀନ ନିବାସକୁ ସ୍ୱାଗତ କରିଥିଲେ ।

ତେବେ ଜଗନ୍ନାଥପ୍ରେମୀ ମମତା ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଥିବା କହିଛନ୍ତି । ଆଉ ଏଥିପାଇଁ ନବୀନଙ୍କୁ ପଶ୍ଚିମବଙ୍ଗ ଯିବାକୁ ମମତା ନିମନ୍ତ୍ରଣ କରିଛନ୍ତି । ସେପଟେ ନବୀନଙ୍କ ଆତିଥେୟତା ଏବଂ ଅଫିସରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମମତା । ଆଲୋଚନା ପରେ ମମତା ବାନାର୍ଜୀ କହିଥିଲେ ଯେ, ମୁଁ ଆଗରୁ ମଧ୍ୟ ନବୀନ ନିବାସ ଆସିଛି । ମୁଁ ପ୍ରଥମ ଥର ଲୋକସଭା ସଦସ୍ୟ ହେବା ପରେ ବିଜୁ ବାବୁ ମୋତେ ନିମନ୍ତ୍ରଣ କରିଥିଲେ। ସେ ସମୟରେ ମୁଁ ନବୀନ ନିବାସ ଆସିଥିଲି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ନବୀନ ନିବାସ ଆସିଥିଲି। ନବୀନଙ୍କ ଆତିଥେୟତାରେ ମୁଁ ଖୁସି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ଥିଲା । ଏଥିରେ କୌଣସି ରାଜନୈତିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇ ନ ଥିଲା ବୋଲି କହିଥିଲେ ମମତା ।

ତେବେ ଦୁଇ ମୁଖ୍ୟମନ୍ତ୍ରୀ ଭେଟଘାଟକୁ ନେଇ ୨୦୨୪ ନିର୍ବାଚନ ଓ ତୃତୀୟ ସାମୁଖ୍ୟ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ମମତା କହିଛନ୍ତି, ନିର୍ବାଚନକୁ ଆହୁରି ବର୍ଷେ ଅଛି । ତେଣୁ ଏବେଠାରୁ ଚର୍ଚ୍ଚା କରିବା ଆବଶ୍ୟକ ନାହିଁ । କିଛି ଦିନ ପୂର୍ବରୁ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଓ ଜେଡିଏସ ମୁଖ୍ୟ କୁମାର ସ୍ୱାମୀଙ୍କୁ ମମତା ଭେଟିଥିଲେ । ତେଣୁ ନବୀନ-ମମତା ଭେଟଘାଟକୁ ରାଜନୈତିକ ପଣ୍ଡିତମାନେ ଅଲଗା ଦୃଷ୍ଟିରେ ଦେଖୁଥିଲେ । ଯାହା ଭୁଲ୍ ପ୍ରମାଣିତ ହୋଇଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା । ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ, ସୁନ୍ଦର ସଂପର୍କ ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନି ।

ଉଲ୍ଲେଖଥାଉ କି, ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୧ ତାରିଖ ଅପରାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସଡ଼କପଥ ଦେଇ କଡ଼ା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିଥିଲେ। ସମୁଦ୍ର କୂଳ ନିକଟ ନିର୍ବାଣ ନିବାସରେ ଦିଦି ଦୁଇ ଦିନ ଅବସ୍ଥାନ କରିବା ସହ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଜାଗା ଦେଖିଥିଲେ ମମତା । ପଶ୍ଚିମବଙ୍ଗ ଅତିଥି ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଚୟନ ହୋଇଥିବା ଜାଗାକୁ ଦେଖି ଦିଦି ବେଶ୍ ପସନ୍ଦ କରିଥିଲେ ।












Click it and Unblock the Notifications