ଯୋଗୀ ଆଦିତ୍ଯନାଥଙ୍କ ଶପଥ ଗ୍ରହଣର ମହା ସମାରୋହ: ଯୋଗ ଦେବେ ମୋଦୀ, ଅମିତାଭ ବଚ୍ଚନ ଏବଂ ଏକାଧିକ ମୁଖ୍ୟମନ୍ତ୍ରୀ
ରାଜଧାନୀ ଲକ୍ଷ୍ନୋ ଆଜି ଚଳଚଞ୍ଚଳ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ। ଦେଶରେ ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବିଜେପିର ଫାୟାରବ୍ରାଣ୍ଡ ନେତା ଯୋଗୀ ଆଦିତ୍ଯ ନାଥ। ଏଥିପାଇଁ ଆୟୋଜିତ ହେଉଛି ଭବ୍ୟ ସମାରୋହ। ଉତ୍ତର ପ୍ରଦେଶର ସଂସ୍କୃତିକ ରାଜଧାନୀ ବାରଣାସୀରେ ଆଜି ଅନୁଷ୍ଠିତ ହେଉଛି ସ୍ଵତନ୍ତ୍ର ପୂଜା। ସମଗ୍ର ରାଜ୍ୟରେ ଆଜି ଉତ୍ସବ ମୁଖରିତ ପରିବେଶ। ରାଜଧାନୀ ଲକ୍ଷ୍ନୋରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏକାଧିକ ମୁଖ୍ୟମନ୍ତ୍ରୀ।

ଲକ୍ଷ୍ନୋ: ଆଜି ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। କ୍ରମାଗତ ଭାବରେ ଦ୍ଵିତୀୟ ଥର ପାଇଁ ଯୋଗୀ ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରିବେ। ଆଜି ଅପରାହ୍ନ 4ଟା ବେଳେ ଶପଥ ଗ୍ରହଣ ସମାରୋହ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ସମାଜବାଦୀ ପାର୍ଟିର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ସେହିପରି ବାହୁଜନ ସମାଜବାଦୀ ପାର୍ଟିର ମାୟାବତି ଏବଂ ଅନ୍ୟ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଛି। ରାଜ୍ୟରେ ବିଜେପି ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।
କାଶୀ ବିଶ୍ଵନାଥରେ ସ୍ଵତନ୍ତ୍ର ପୂଜା:
ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ଚାରି ଦଶନ୍ଧି ପରେ କୌଣସି ରାଜନୈତିକ ଦଳ ଲଗାତର ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ବିଜେପି ଏହି ବିଜୟକୁ ବହୁତ ବଡ ଉପଲବ୍ଧି ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିବା ସ୍ଵାଭାବିକ। ବିଜେପିର ସମର୍ଥକ ତଥା କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଆଜି ଶପଥ ପାଠ ପୂର୍ବରୁ ରାଜ୍ୟର ବିଭିନ୍ନ ମନ୍ଦିରରେ ପୂଜାପାଠ କରାଯାଇଛି। ଶପଥ ଗ୍ରହଣ ପୂର୍ବରୁ ଆଜି ବାରଣାସୀ ସ୍ଥିତ କାଶୀ ବିଶ୍ଵନାଥଙ୍କ ପୀଠରେ ହେବ ସ୍ଵତନ୍ତ୍ର ପୂଜା।

ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୋଆ, ହରିୟଣା, ଆସାମ ଏବଂ ବିହାର ମୁଖ୍ୟମନ୍ତ୍ରୀ ସାମିଲ ହେବେ
ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆକର୍ଷଣ ଭାବରେ ଯୋଗ ଦେବେ। ଏଥିର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଗୋଆର ନୂତନ ନିଯୁକ୍ତ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱ୍ବନ୍ତ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ସମାରୋହରେ ଯୋଗ ଦେବେ। ଏହି ଭବ୍ୟ ସମରୋହରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବିହାରରେ ଏନଡିଏର ସରକାର ଥିବା ଯୋଗୁ, ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଏଥିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦିଆ ଯାଇଛି। ଏହାଦ୍ବାରା ଏନଡିଏ ମଧ୍ୟରେ ସାଙ୍ଗଠନିକ ଦୃଢତାକୁ ଦର୍ଶାଇବାକୁ ବିଜେପି ଚାହୁଁଛି। ସେହିପରି ବିହାରରେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ତମ ସନ୍ଦେଶ ଦେବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟି। ଯୋଗୀ ଆଦିତ୍ଯନାଥ ପ୍ରଥମ ଥର ଶପଥ ଗ୍ରହଣ ସମୟରେ ସମାଜବାଦୀ ପାର୍ଟିରେ ବରିଷ୍ଠ ନେତା ମୂଲାୟମ ସିଂହ ଯାଦବ ଏବଂ ଅଖିଲେଶ ସିଂହ ଯୋଗ ଦେଇଥିଲେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମଧ୍ୟ ମୁଲାୟମ ଯୋଗ ଦେବା ସମ୍ଭାବନା ରହିଛି।
ନୂଆ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ନେବେ ଶପଥ
ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ ସମେତ ନୂତନ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେବେ। ଜଣେ ନୂଆ ନେତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ମିଳିବା ନେଇ ଆଲୋଚନା ହେଉଛି। ପାଖାପାଖି 40ରୁ ଅଧିକ ବିଧାୟକ ଆଜି ଶପଥ ଗ୍ରହଣ କରିବେ ମନ୍ତ୍ରୀ ଭାବରେ। ନୂତନ ମନ୍ତ୍ରୀ ମଣ୍ଡଳର ତାଲିକା ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ତେବେ ଏହା ସାର୍ବଜନୀନ କରାଯାଇନାହିଁ। ମନ୍ତ୍ରୀମଣ୍ଡଳରେ ଦଳିତ, ମହିଳା, ଯୁବ ଗୋଷ୍ଠୀ ଏବଂ ଅଳ୍ପ ସଂଖ୍ୟକଙ୍କୁ ସ୍ଥାନିତ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଭାରି ବହୁମତରେ ବିଜୟ ହୋଇଥିବା ବିଜେପିକୁ ଅଧିକ ସଂଖ୍ୟକ ମହିଳା ଏବଂ ଯୁବ ଗୋଷ୍ଠୀ ସମର୍ଥନ କରିଥିଲେ ବୋଲି କୁହାଯାଉଛି, ତେଣୁ ଏମାନଙ୍କ ସଠିକ ପ୍ରତିନିଧିତ୍ଵକୁ ବିଜେପି ଗୁରୁତ୍ଵ ଦେବ।

ଯୋଗ ଦେବେ ଅମିତାଭ ବଚ୍ଚନ ଏବଂ କାଶ୍ମୀର ଫାଇଲ୍ସ ଚଳଚିତ୍ରର ଟିମ
ଯୋଗୀ ଆଦିତ୍ଯ ନାଥଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମେଗାଷ୍ଟାର ଅମିତାଭ ବଚ୍ଚନ ଯୋଗ ଦେବା ନେଇ ସୂଚନା ମିଳିଛି। ଏବେ ଅମିତାଭ ଏକ ଚଳଚିତ୍ରର ଶୁଟିଙ୍ଗ ପାଇଁ ଲକ୍ଷ୍ନୋରେ ହିଁ ଅଛନ୍ତି। ତେଣୁ ମେଗା ଷ୍ଟାରଙ୍କୁ ଏହି ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ମିଳିଛି। ଏହାଛଡା, ଅମିତାଭ ବଚ୍ଚନଙ୍କ ସହ ଉତ୍ତର ପ୍ରଦେଶର ବ୍ୟକ୍ତିଗତ ସମ୍ପର୍କ ରହିଛି। ବିଗ ବିଙ୍କ ନିଜ ପୈତୃକ ଘର ଉତ୍ତର ପ୍ରଦେଶରେ।

ଏଥିସହିତ ପଦ୍ମ ବିଭୂଷଣ ସମ୍ମାନ ପାଇଥିବା ବିଗ ବିଙ୍କୁ ସ୍ଵତନ୍ତ୍ର ଭାବରେ ନିମନ୍ତ୍ରଣ କରି ବିଜେପି ନିଜ ସମର୍ଥକମାନଙ୍କୁ ଏକ ସନ୍ଦେଶ ଦେବାକୁ ଚାହୁଁଛି ଏହାର ଲୋକପ୍ରିୟତା ନେଇ। ସେହିପରି ଏହି ସମାରୋହରେ ସଦ୍ୟ ମୁକ୍ତିଲାଭ କରିଥିବା ତଥା ବହୁ ଚର୍ଚିତ ଫିଲ୍ମ ଦି କାଶ୍ମୀର ଫାଇଲ୍ସର ପ୍ରଯୋଜକ ଏବଂ ଅଭିନେତାମାନଙ୍କୁ ସ୍ଵତନ୍ତ୍ର ଭାବରେ ନିମନ୍ତ୍ରିତ କରାଯାଇଛି।












Click it and Unblock the Notifications