ପଞ୍ଚାୟତ ନିର୍ବାଚନ: ଏଥର ଇଭିଏମ ବଦଳରେ ବାଲାଟ ପେପରରେ ମତଦାନ
ଆସନ୍ତାବର୍ଷ ଫେବୃୟାରୀରେ ହେବ ପଞ୍ଚାୟତ ନିର୍ବାଚନ । ଏଥର ଇଭିଏମ ବଦଳରେ ବାଲାଟ ପେପରରେ ମତଦାନ । ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ।
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସନ୍ତାବର୍ଷ ଫେବୃୟାରୀରେ ହେବ ପଞ୍ଚାୟତ ନିର୍ବାଚନ । ଏଥର ଇଭିଏମ ବଦଳରେ ବାଲାଟ ପେପରରେ ମତଦାନ । ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ। ଆସନ୍ତା ୬ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି।

ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା ରଖିବେ । ସ୍ବଚ୍ଛ, ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ପାଇଁ ବୈଠକରେ ଆଲୋଚନା କରାଯିବ । ଖାସକରି ପଞ୍ଚାୟତ ନିର୍ବଚନରେ ଅନେକ ସ୍ଥାନରେ ଅପୟୀତିକର ପରିସ୍ଥିତି ଉପୁଜିଥାଏ ।
ତେବେ ପ୍ରଥମଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାର ଥିବାରୁ ନଭେମ୍ବର ୧୫ତାରିଖ ସୁଦ୍ଧା ଭୋଟଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଞ୍ଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ୧୮ ପୃଷ୍ଠାର ଗାଇଡଲାଇନ୍ ଜାରି କରାଯାଇଛି। ଏଥିରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲାଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ , ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି, ବାଲାଟ ବାକ୍ସ ପରିବହନ, ଭୋଟ ଗଣତି, ଟେବୁଲ, ପୁନଃଗଣତି, ବାଲାଟ ପେପରକୁ ସିଲ୍ ଆଦି ପ୍ରସଙ୍ଗରେ ଗାଇଡଲାଇନ୍ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍, ୬୮୦୧ଟି ପଞ୍ଚାୟତ ସମିତି ସଦସ୍ୟ, ୬୮୦୨ଜଣ ସରପଞ୍ଚ ଓ ୯୨୦୫୨ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ଭୋଟଗ୍ରହଣ ହେବ। ଏଥିରେ ପ୍ରାୟ ୨.୮୦କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆସନ୍ତା ଜାନୁୟାରୀ ମାସରେ ସଂଶୋଧିତ ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହେବ ।












Click it and Unblock the Notifications