ପୌର ନିର୍ବାଚନ: ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି
ଭୁବନେଶ୍ୱର ପାଇଁ ବିଜେପି ଘୋଷଣା କଲା ମେୟର ପ୍ରାର୍ଥୀ । ବିଜେପି ପାଇଁ ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍ । ପୌର ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ।
ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ବିଜେପି ଘୋଷଣା କଲା ମେୟର ପ୍ରାର୍ଥୀ । ବିଜେପି ପାଇଁ ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍ । ପୌର ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡା କରିଥିବା ବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ଏବେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ପୌର ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି ।

ବିଜେଡି ଆଜି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ପକ୍ଷରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।
ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଡ. ସୁନୀତି ମୁଣ୍ଡଙ୍କୁ ଦଳର ଭୁବନେଶ୍ୱର ମେୟର ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହେବା ପାଇଁ ପ୍ରାୟ ୨୫ ଜଣ ଦରଖାସ୍ତ ଦେଇଥିଲେ। ସେମାନଙ୍କ ମଧ୍ୟରେ କିଛି ଦଳ ବାହାରର ମହିଳା ମଧ୍ୟ ଥିଲେ। ସମସ୍ତଙ୍କ ବିଷୟରେ ଆଲୋଚନା କରାଯିବା ପରେ ଦଳ ଡ. ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା।
ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁନୀତି । ତାଙ୍କର ଏକ ଟ୍ରଷ୍ଟ ରହିଛି ଯାହାର ନାଁ ଦକ୍ଷ ୱେଲଫେୟରା ଟ୍ରଷ୍ଟ । ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ଏମ୍ଏ କରିଛନ୍ତି। ସେ ଆଇଆଇଏମ୍ସିରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଛନ୍ତି। ସେ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି। ସେ ପାଖାପାଖି ୨୮ଟି ବହି ଲେଖିଛନ୍ତି। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ପ୍ରବୀଣ।
ବିଜେପିର ମେୟର ପ୍ରାର୍ଥୀ ହେବା ପରେ ଡ. ସୁନୀତି ମୁଣ୍ଡ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସଫଳ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।












Click it and Unblock the Notifications