ବାଲେଶ୍ୱରରେ ବାଜି ମାରିବ କିଏ ? ନିର୍ବାଚନ କୁରୁକ୍ଷେତ୍ରରେ ତିନି ଦକ୍ଷ ପ୍ରାର୍ଥୀ, କାହାକୁ ଭୋଟ୍ ଦେବେ ଜନତା ?
ଦିନକୁ ଦିନ ଉତ୍ତାପ ବଢିବା ସହ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆଉ କଂଗ୍ରେସର ଆସନ ଘୋଷଣା ପରେ ଏବେ ମଇଦାନରେ ତ୍ରିମୁଖି ଲଢ଼େଇ । ଆମେ ଯଦି ବାଲେଶ୍ୱର ଲୋକସଭା କ୍ଷେତ୍ର କଥା କହିବା ଏଥର ମଇଦାନରେ ଜୋରଦାର ଫାଇଟ ଦେଖିବାକୁ ମିଳିବ । ଏଥର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ବିଜେପିରୁ ଆସି ବିଜେଡ଼ିରେ ମିଶିଥିବା ନାରୀ ନେତ୍ରୀ ଲେଖାଶ୍ରୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର ।
ପ୍ରଭାବ, ପ୍ରତିଷ୍ଠା ଓ ପ୍ରତିପତ୍ତି ଦୃଷ୍ଟିରୁ କେହି କାହାଠାରୁ କମ୍ ନଥିବା ବେଳେ ବିଜୟ ମୁକୁଟ କିଏ ପିନ୍ଧିବ, ଏବେଠାରୁ ଅନୁମାନ ଲଗାଇବା କାଠିକାର ପାଠ।
୨୦୦୯ରେ ଶ୍ରୀକାନ୍ତ ଜେନା ପ୍ରଥମଥର ପାଇଁ କେନ୍ଦ୍ରାପଡାରୁ ଆସି ବାଲେଶ୍ବରରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ । ଆଉ ୩ ଲକ୍ଷ ୧୩ ହଜାର ୮୮୮ ଖଣ୍ଡ ଭୋଟ ପାଇ ଏନସିପିର ଅରୁଣ ଦେଙ୍କୁ ହରାଇଥିଲେ । ଆଉ କେନ୍ଦ୍ରରେ ମନ୍ତ୍ରୀ ବି ହୋଇଥିଲେ । ହେଲେ ୨୦୧୪ ନିର୍ବାଚନରେ ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିର ରବୀନ୍ଦ୍ର ଜେନାଙ୍କ ସହ ତ୍ରିମୁଖୀ ଲଢ଼େଇରେ ତୃତୀୟ ସ୍ଥାନକୁ ଖସିଯାଇଥିଲେ ଶ୍ରୀକାନ୍ତ । ଗଡ଼ ଜିତିଥିଲା ବିଜେଡି ।

ସେହିପରି ୨୦୧୯ ବେଳକୁ ବଦଳିଯାଇଥିଲା ବାଜି। ଆଉ ମୈଦାନରେ ଶ୍ରୀକାନ୍ତ ନଥିଲେ । ବିଜେପି-ବିଜେଡି ଭିତରେ ଜୋରଦାର ଟକ୍କରରେ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ପ୍ରତିପକ୍ଷ ରବୀନ୍ଦ୍ର ଜେନାଙ୍କୁ ପାଖାପାଖି ୧୩ ହଜାର ଭୋଟରେ ହରାଇଥିଲେ ପ୍ରତାପ ଷଡ଼ଙ୍ଗୀ । ଆଉ ଏପଟେ ବିଜେଡି ମହିଳା କାର୍ଡ ଖେଳି ଲେଖାଶ୍ରୀଙ୍କୁ ଟିକେଟ୍ ଦେଇ ବିଜେପି ଭୋଟ୍ କାଟିବା ଚକ୍କରରେ ରହିଛି ।
ପୂର୍ବରୁ ବାଲେଶ୍ବର କଂଗ୍ରେସର ଗଡ଼ ଥିବା ବେଳେ ଇତିହାସକୁ ଦୋହରାଇବା ଦଳ ପାଖରେ ଭାରି କଷ୍ଟ । କାରଣ ଦଳର ସେହିପରି କିଛି ସ୍ଥିତି ନାହିଁ । ୧୯୫୨, ୧୯୫୭, ୧୯୬୨, ୧୯୭୧, ୧୯୮୦, ୧୯୮୪, ୧୯୯୧, ୧୯୯୬ ଓ ୨୦୦୯ ମସିହାରେ ବାଲେଶ୍ବର ଲୋକସଭା ଆସନରେ କଂଗ୍ରେସ ଜିତିଛି । ସେହିପରି ୧୯୯୮, ୧୯୯୯, ୨୦୦୪ ମସିହାରେ ଖାରବେଳ ସ୍ବାଇଁ ନିର୍ବାଚନ ଲଢ଼ି ଲଗାତର ବିଜେପିକୁ ବିଜୟ କରିଥିଲେ । ସେହିପରି ବିଜେଡ଼ି ୨୦୧୪ରେ ଏଠାରେ ଜିତିଛି ।
ତେବେ ମୋଟାମୋଟି କହିବାକୁ ଗଲେ ବାଲେଶ୍ବରରେ ଏଥର ଲେଖାଶ୍ରୀ, ଶ୍ରୀକାନ୍ତ ଓ ପ୍ରତାପଙ୍କ ମଧ୍ୟରେ ସାଂସଦ ପଦ ପାଇଁ ଜୋରଦାର ଲଢ଼େଇ ହେବା ଏକ ପ୍ରକାର ସ୍ପଷ୍ଟ । ହେଲେ ମଇଦାନରେ କିଏ କେତେ ପାଣିରେ ଅଛନ୍ତି, ସେ ନେଇ କିନ୍ତୁ ଚିତ୍ର ଏବେ ବି ଅସ୍ପଷ୍ଟ । ବିଜୟ ପାଇଁ ଯେ ଯାହାର ରଣ କୌଶଳ ଆପଣେଇଥିବା ବେଳେ କିଏ ବାଜି ମାରୁଛି ଆଉ କିଏ ପଛରେ ପଡୁଛି, ତା' ଉପରେ ରାଜ୍ୟବାସୀଙ୍କ ନଜର କେନ୍ଦ୍ରୀଭୂତ ରହିଛି ।












Click it and Unblock the Notifications