ହାତ ଛାଡିବେ ପ୍ରଦୀପ ମାଝୀ ! ବିଜେଡିରେ ମିଶିବା ନେଇ ଚର୍ଚ୍ଚା
ପ୍ରଦେଶ କଂଗ୍ରେସର ହାତ ଛାଡିପାରନ୍ତି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ହାତ ଛାଡ଼ି କୁଆଡେ ଶଙ୍ଖରେ ଯୋଡ ଦେବେ ଦଳର ଏହି ଯୁବ ତଥା ହେବିୱେଟ୍ ନେତା । ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି ।
ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଲାଗି ପାରେ ଆଉ ଏକ ବଡ ଝଟକା । କାରଣ ପ୍ରଦେଶ କଂଗ୍ରେସର ହାତ ଛାଡିପାରନ୍ତି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ହାତ ଛାଡ଼ି କୁଆଡେ ଶଙ୍ଖରେ ଯୋଡ ଦେବେ ଦଳର ଏହି ଯୁବ ତଥା ହେବିୱେଟ୍ ନେତା । ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି । ତେବେ ଏନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ନୂଆ ରାଜନୈତିକ ଇନିଙ୍ଗସ୍ ଆରମ୍ଭ କରିବେ ବୋଲ ପାଓ୍ବାର କରିଡରରେ ହେଉଛି ଚର୍ଚ୍ଚା। ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ଯୋଜନା ହୋଇଥିବା କୁହାଯାଉଛି। ଏକଦା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ । ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ ରାଜନୀତି ରାସ୍ତାରେ ଯାଇ ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି।
କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ ଦିଲ୍ଲୀ କଂଗ୍ରେସ ରାଜନୀତିରେ ତାଙ୍କର ପ୍ରଭାବ ଭଲ ଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ପ୍ରଦୀପ ମାଝୀ ମଧ୍ୟ ରାହୁଲ ଗାନ୍ଧୀଙ୍କ କୋର ଟିମରେ ସଦସ୍ୟ ଥିଲେ। ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି ହାରିବା ପରେ ଏବେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।
ବିଶେଷ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ମାସରେ ନବରଙ୍ଗପୁରେ ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ମିଶିବେ ବୋଲି ପ୍ଲାନ ହୋଇଥିବା କୁହାଯାଉଛି । ହେଲେ ଏଭଳି ଚର୍ଚ୍ଚାକୁ ନେଇ ପ୍ରଦୀପ ମାଝି କିଛି ପ୍ରତିକ୍ରିୟା ରଖୁନାହାନ୍ତି । ତାଙ୍କର କହିବା କଥା ସେ ଏବେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି । ୨୦୧୪ରୁ ଏବେ ଯାଏ କେବଳ ନିୟମରେ ଚାଲିଛି ବୋଲି କହୁଛନ୍ତି ପ୍ରଦୀପ।












Click it and Unblock the Notifications