ଚାଷୀ ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ : ଗୃହ 4ଟା ଯାଏଁ ମୁଲତବି
ଆଜି ବିଧାନସଭାର ଦ୍ୱିତୀୟ କାର୍ଯ୍ୟଦିବସ ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ବିଧାନସଭା ଦ୍ବିତୀୟ ଦିନରେ ବି ଚାଲିପାଲିଲାନି ଗୃହ କାର୍ଯ୍ୟ ।
Odisha Budget 2021 : ଆଜି ବିଧାନସଭାର ଦ୍ୱିତୀୟ କାର୍ଯ୍ୟଦିବସ ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ବିଧାନସଭା ଦ୍ବିତୀୟ ଦିନରେ ବି ଚାଲିପାଲିଲାନି ଗୃହ କାର୍ଯ୍ୟ । ପ୍ରଥମେ ଗୃହକୁ 11ଟା 30 ପର୍ଯ୍ୟନ୍ତ ଓ ପରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହଲ୍କା ଓ ନାରାବାଜି ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିରୋଧୀ କଂଗ୍ରେସ ହୋହଲ୍ଲା କରିଥିଲେ ।

ବିଜେପି ସଦସ୍ୟମାନେ ମଧ୍ୟ ପ୍ଲାକାର୍ଡ ପ୍ରଦର୍ଶନ କରି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଅପରପକ୍ଷରେ ଗୃହ ବନ୍ଦକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ମଣ୍ଡିରେ ଧାନ ପଡ଼ିରହିଛି । ଟୋକନ ଆଳରେ ମଣ୍ଡିରୁ ଧାନ ଉଠୁନି। ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ ବୋଲି ବିଜେପି ଦାବି କରିଛି । ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, 'ମଣ୍ଡିରୁ ସବୁ ଧାନ ନଉଠିଲା ପର୍ଯ୍ୟନ୍ତ ଗୃହ ଚଳେଇ ଦେବୁନି। ଏହାର ଜବାବ ରଖିଛି ବିଜେଡି । ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, 'ପ୍ରଶ୍ନକାଳକୁ ବାତିଲ କରିବା ଠିକ ନୁହେଁ । ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି ।












Click it and Unblock the Notifications