ନିର୍ବାଚନୀ ମଇଦାନରେ ତିନି ଦଳ; କାହାକୁ ଭୋଟ ଦେବେ ଜନତା ? କ'ଣ ରହିଛି ମୁଡ୍ ?
ପାଖେଇ ଆସୁଛି ସାଧାରଣ ନିର୍ବାଚନ । ମଇଦାନ ପୁରା ପ୍ରସ୍ତୁତ । ତିନି ପ୍ରମୁଖ ଦଳଙ୍କ ଭିତରେ ପୁରା ଟେନସନ । ତେବେ ଦଳ ଡିଆଁ ଭୋଟରଙ୍କୁ କରୁଛି କନଫ୍ୟୁଜନ । ଯେଉଁମାନେ ଦଳକୁ ପସନ୍ଦ କରୁଥିଲେ ସେମାନଙ୍କୁ ଏବେ ପ୍ରାର୍ଥୀ ପସନ୍ଦ ଆସୁନି । ଆଉ କେଉଁଠି ପ୍ରାର୍ଥୀ ଦଳ ପରିବର୍ତ୍ତନ କଲେଣି। ତେବେ କାହାକୁ ଭୋଟ ଦେବେ ଜନତା । ପ୍ରାର୍ଥୀଙ୍କ ଦଳ ଡିଆଁ ଲୋକଙ୍କ ଭରସା ଭାଙ୍ଗିବାରେ ଲାଗିଛି ।
ବିଜେପି ଛାଡୁଛନ୍ତି ଦଳର ସକ୍ରିୟ ନେତା । ସେହିପରି ବିଜେଡି ଛାଡିଛନ୍ତି ସିନେମା ଷ୍ଟାର । ଆଉ କଂଗ୍ରେସ ଉପରେ ନିଜର କର୍ମୀଙ୍କର ଭରସା ନାହିଁ । ଦିନେ ଯେଉଁ ଦଳକୁ ଚରମସୀମା ଯାଏଁ ଅପମାନ କରିଥିବା ପ୍ରାର୍ଥୀ ନିଜ ସ୍ବାର୍ଥ ପାଇଁ ଆସି ସେହି ଦଳରେ ଶରଣ ନେଉଛି । ଏଠି ଭୋଟ ଦେବେ ଜନତା, ଆଉ ଭକୁଆ ହେବେ ଜନତା । କାରଣ ଜନତାଙ୍କ ସେବା ନୁହଁ ନିଜ ପେଟ ପୋଷିବା ପାଇଁ ଚାଲିଛି ରାଜନୀତି ।

କଳେବଳେ କୌଶଳେ ଭୋଟ ହାତେଇବା ପରେ ୫ ବର୍ଷ ଯାଏଁ ଜନ ପ୍ରତିନିଧି ଧରା ଛୁଆଁ ଦେଉନାହାନ୍ତି ବୋଲି ଲୋକେ କହୁଛନ୍ତି। ମୁଁ ଆପଣମାନଙ୍କ ସେବାରେ କହି ଗୋଡ ତଳେ ପଡିଯାଉଥିବା ନେତା ଟିଏ ଯେତେବେଳେ ଧଳା ପୋଷକରେ ଧୂଳି ଲାଗିଯିବ ବୋଲି ଗାଡିରୁ ଓହ୍ଲାଉନି ଏସବୁ ଦେଖିଲେ ସେହି ଭୋଟର ମୁହଁ ଲୁଚାଇ କାନ୍ଦିବା ଛଡା ଆଉ କିଛି ନୁହଁ ।
ତେବେ ସେ ଯାହା ବି ହେଉ ନିଜ ମତ ସାବସ୍ତ୍ୟ କରିବା ଜଣେ ଭୋଟରର ଅଧିକାର । ଏହି ସୁତ୍ରକୁ ଆପଣାଇ ଯେ କୌଣସି ଗୋଟିଏ ଚିହ୍ନରେ ଥାପା ଲଗେଇଦେଇ ଆସେ ଭୋଟର । ଯିଏ ଜିତିଲେ ମୋର କଣ ଅଛି କହି ଆଉ ୫ ବର୍ଷ କାଟିଦିଏ ଭୋଟର । କାରଣ ଭୋଟରର ନା ପ୍ରାର୍ଥୀ ପସନ୍ଦ ନା ଦଳ । ଯଦି ସାଧାରଣ ଲୋକଟିର ଦୁଃଖ ଶୁଣିବାକୁ କେହି ନାହିଁ ତାହାଲେ କାହିଁକି ଏତେ ପ୍ରହସନ । କାହିଁକି ହେଉଛି ନିର୍ବାଚନ ଆଉ କାହିଁକି ବଛା ହେଉଛି ଜନପ୍ରତିନିଧି ତାହା ଏବେ ବଡ ପ୍ରଶ୍ନବାଚୀ ।
ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ । ଲୋକସଭା ଏବଂ ଓଡ଼ିଶା ସମେତ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ସମେତ ଲୋକସଭା ପାଇଁ ହେବ ଭୋଟ ଗ୍ରହଣ । ଜୁନ 4ରେ ଏକା ସାଙ୍ଗରେ ଫଳାଫଳ ଆସିବ ।












Click it and Unblock the Notifications