ଓଡ଼ିଶା ବିଧାନସଭା ନିର୍ବାଚନ: ଏଥର ମଇଦାନରେ ନ୍ୟୁ ଜେନେରେସନ, ୨୦୨୪ ଲଢେଇ ପାଇଁ କିଏ କେତେ ପ୍ରସ୍ତୁତ ?
ମଇଦାନରେ ତିନି ଦଳ ଭିତରେ କଡା ଟକ୍କର । ୨୦୨୪ ପାଇଁ ପ୍ରସ୍ତୁତ ବିଜେଡ଼ି, ବିଜେପି ଓ କଂଗ୍ରେସ । ଏବେ ବିଧାନସଭାରେ ନବାଗତଙ୍କ ପାଳି । ଆଉ ସେଥିପାଇଁ ଚାଲିଛି କସରତ । ସକାଳ ୬ଟାରୁ ରାତି ୨ଟା ପର୍ଯ୍ୟନ୍ତ ଗହଳି । ଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ଅଷ୍ଟପ୍ରହରୀରେ ନେତାଙ୍କ ମାଳମାଳ ଭିଡ। ହେଲେ ଏଥର ନିର୍ବାଚନ ବହୁତ୍ ଅଲଗା । କାରଣ ଏଥର ମଇଦାନରେ ନ୍ୟୁ ଜେନେରେସନ।
ବଡ଼ ବଡ଼ ନେତା ବି ନିଜ ପୁଅ ମାନଙ୍କୁ ବା ଗାଦି ଛାଡିଛନ୍ତି । ଏଥର ରାଜନୀତି କିଛି ନୂଆ ମୋଡରେ । ଦିନକୁ ଦିନ ଝାଞ୍ଜି ପବନ ସହ ନିର୍ବାଚନ ତାତି ବଢ଼ିବାରେ ଲାଗିଛି । ଆଉ ସଧାରଣ ଜନତା ବି ଏଥର ନିଜକୁ ସାମିଲ୍ କଲେଣି ।
ମନ୍ମଥ ରାଉତରାୟ
ବଡ ଚେହେରା ମନ୍ମଥ ରାଉତରାୟ । ବିଜେଡିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ । ଆଉ ରାଜ୍ୟରେ ବି ପ୍ରସିଦ୍ଧ। ବରିଷ୍ଠ କଂଗ୍ରେସ ନେତା ସୂର୍ ରାଉତରାୟଙ୍କ ପୁଅ । ସୁର ଜଟଣୀରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପୁଅ ବିଜେଡିରୁ ଲୋକସଭା ପ୍ରାର୍ଥୀ । ଆଉ ପୁଅ ପାଇଁ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ସୁର ଭାଇ । ମନ୍ମଥ ବି ବେଶ୍ ଦକ୍ଷ ।

ଦୀପାଳି ଦାସ
ଦୀପାଳି ଦାସ ଓଡ଼ିଶାର ଜଣେ ନାରୀ ଚେହେରା । ସେ ଝାରସୁଗୁଡ଼ା ଉପ ନିର୍ବାଚନରେ ଏକ ତରଫା ବିଜୟ ହାସଲ କରିଥିଲେ । ବରିଷ୍ଠ ନେତା ନବ ଦାସଙ୍କ ଝିଅ ଦୀପାଳି । ସେ ବି ଖୁବ୍ ଦମରେ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି । ଆଉ ଏଥର ମଧ୍ୟ ଏକ ତରଫା ଜିତିବେ ବୋଲି କହିଛନ୍ତି ।
ଅଭିନବ ପଣ୍ଡା
ଅଭିନବ ପଣ୍ଡା, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ । ସେ ଏଥର ବିଜେପି ଟିକେଟରୁ ନୂଆ ପଡ଼ାରୁ ଲଢ଼ିବେ ଆଉ ନିର୍ବାଚନ ମଇଦାନରେ ଜିତିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବେ । କଳାହାଣ୍ଡି ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପ୍ରଥମ ଥର ପାଇଁ ଭାଗ୍ୟ ପରୀକ୍ଷା କରିବେ ନୂଆପଡ଼ା ସଦର ଆସନରୁ ।
ସମରେନ୍ଦ୍ର ମିଶ୍ର
ସମରେନ୍ଦ୍ର ମିଶ୍ର , ବଲାଙ୍ଗିରର ଭେଟେରାନ୍ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ପୁଅ । ଏଥର ନିର୍ବାଚନୀ ରାଜନୀତିରୁ ନରସିଂହଙ୍କ ସନ୍ୟାସ ପରେ ତାଙ୍କ ଲିଗାସୀକୁ ଧରି ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର । ଗତଥର କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । କିନ୍ତୁ, ପରାଜୟ ଭୋଗିଥିବା ସମରେନ୍ଦ୍ର ଏଥର ବାପାଙ୍କ ଆସନ ତଥା ବଲାଙ୍ଗିର ବିଧାନସଭାରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବେ ।
ଅଙ୍କିତ ପ୍ରତାପ ଜେନା
ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ବିବାଦରେ ଥିବାରୁ ତାଙ୍କ ଟିକେଟ କରିଥିବା କୁହାଯାଉଛି । ତେବେ ଦଳ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି । ମାହାଙ୍ଗାରୁ ଏଥର ନୂଆ ମୁହଁ ଦେଇଛି ଦଳ । ଆଉ ଅଙ୍କିତ ବି ନିଜ ଅଞ୍ଚଳରେ କାମ କରି ବେଶ୍ ସଫଳତା ହାସଲ କରିଛନ୍ତି ।
ଉପାସନା ମହାପାତ୍ର
ଉପାସନା ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ଲୁଲୁ ଭାଇଙ୍କ ଝିଅ । ସେ ବ୍ରହ୍ମଗିରି ବିଧାନସଭା ଆସନରୁ ଲଢ଼ିବେ। ରାଜ୍ୟର ସେ ଜଣେ ଚର୍ଚ୍ଚିତ ଚେହେରା । ଆଉ ରାଜନୀତିରେ ସେ ଭାରି ଅଭିଜ୍ଞ । ଗ୍ରାସ ରୁଟ୍କୁ ଯାଇ ଲୋକଙ୍କ ସହ ମିଶି ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୋଇଛନ୍ତି। ତାଙ୍କ ବାପା ତଥା ପ୍ରିୟ ଲୁଲୁ ଭାଇଙ୍କୁ ସମସ୍ତେ ଭଲ ପାଆନ୍ତି। ଏଣୁ ସେ ନିଶ୍ଚିତ ବ୍ରହ୍ମଗିରୀ ନିର୍ବାଚନମଣ୍ଡଳୀର ଲୋକଙ୍କ ଆଶୀର୍ବାଦ ହାସଲ କରିବେ ବୋଲି ଉପାସନା କହିଛନ୍ତି ।
ସୁରଜ୍ ସୂର୍ଯ୍ୟବଂଶୀ
ସୁରଜ୍ ସୂର୍ଯ୍ୟବଂଶୀ, ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ । ସେ ଧାମନଗର ଉପ-ନିର୍ବାଚନରେ ବିଜୟୀ ହୋଇଥିଲେ । ଆଉ ରାଜ୍ୟର ଜଣେ ଯୁବ ବିଧାୟକ ଭାବରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ଅନେକ କାମ କରି ଲୋକଲୋଚନକୁ ଆସିଛନ୍ତି। ଏଥର ବିଜେପି ପୁରା ଦମ୍ ଦେଖାଇବ ବୋଲି ସେ କହିଛନ୍ତି ।
ସାଗର ଚରଣ ଦାସ
ଭବାନୀପାଟଣା ବିଧାନସଭା ଆସନ ପାଇଁ ମୈଦାନରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସଙ୍କ ପୁଅ ସାଗର ଚରଣ ଦାସ ।
ଭବାନୀପାଟଣା ଆସନକୁ ପୂର୍ବରୁ ମୋଟ୍ ୩ ଥର ଦଖଲ କରିଥିବା କଂଗ୍ରେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ଏଥର ବି ପୁଅକୁ ମୈଦାନକୁ ଆଣିଛନ୍ତି । ୧୯ ନିର୍ବାଚନରେ ତୃତୀୟ ସ୍ଥାନ ସହ ପରାଜୟ ବରଣ କରିଥିବା ପୁଅ ସାଗର ଭବାନୀପାଟଣାରେ ଏଥର ବି ଭାଗ୍ୟ ପରୀକ୍ଷା କରିବେ ନିଜ ମାଟିରେ ।
ସୁନୀଲ ମହାନ୍ତି
ସୁନୀଲ ମହାନ୍ତି, ବରିଷ୍ଠ ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି । ସେ ପୁରୀ ବିଧାନସଭା ଆସନରୁ ପୁରା ଦମରେ ଲାଗିଛନ୍ତି। ଆଉ ଏଥର ବିଜେପିକୁ କଡା ଫାଇଟ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।
ସାରାଦେଶରେ ମୋଟ୍ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଶେଷ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ' ୧୩, ମେ' ୨୦, ମେ' ୨୫ ଓ ଜୁନ୍ ୧ରେ ଓଡ଼ିଶାରେ ୨୧ଟି ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ।












Click it and Unblock the Notifications