ଓଡ଼ିଶା ବିଧାନସଭା ନିର୍ବାଚନ: ୩ଟି ଲୋକ ସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ, ମାଗିବେ ଭୋଟ୍
ଆଜି ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକ ସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକ ସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ । କୋରାପୁଟ ଲୋକ ସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।
ପୂର୍ବାହ୍ନ ୧୦ଟାରେ କୋରାପୁଟରେ ପହଞ୍ଚି ଜନସଭାକୁ ସେ ଉଦ୍ବୋଧନ ଦେବେ । ଏହାପରେ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିବେ । ସେଠାରୁ ରାୟଗଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଜନସଭାକୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବରିଷ୍ଠ ବିଜେଡି ନେତା ଭି କେ ପାଣ୍ଡିଆନ ଉପସ୍ଥିତ ରହିବେ ।

ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତରେ ଆସୁଛନ୍ତି । ଗଜପତି ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଅପରାହ୍ନ ୫ଟାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ଅପରାହ୍ନ ୫ଟା ୫୦ରେ ସେ ପାରଳାଖେମୁଣ୍ଡିରୁ ଭୁବନେଶ୍ବର ଫେରିଯିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବିଜେଡି ଶିବିର ମଧ୍ୟ ଚଳଚଞ୍ଚଳ ହୋଇଛି ।
୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ନିର୍ବାଚନ ପ୍ରଚାରରେ ଆସି କେବଳ ଏକ ରୋଡ଼ ସୋ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବେ। ଏହା ନିଶ୍ଚିତ ଭାବେ ମୋ ପାଇଁ ମର୍ଯ୍ୟାଦାଜନକ ବୋଲି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।












Click it and Unblock the Notifications