କ'ଣ ହେବେ ଶ୍ରିମୟୀଙ୍କ ଭବିଷ୍ୟତ ? ରାଜନୀତିରେ ହେବେ କେତେ ସଫଳ ?
ସମସ୍ତ କଳ୍ପନାଜଳ୍ପନାର ଅନ୍ତ । ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛନ୍ତି । ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବିଜେପି ପୁଣିଥରେ ଭରସା କରିଥିବା ବେଳେ ବିଜେଡି ନୂଆ ମୁହଁକୁ ସାମ୍ନାକୁ ଆଣିଛି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଶଙ୍ଖ ଫୁଙ୍କିଛନ୍ତି ।
ମିଶ୍ରଣ ପର୍ବର ମାତ୍ର ଦୁଇଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶରାଉତରାୟଙ୍କ ନାଁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ମନ୍ମଥଙ୍କ ନାମ ଘୋଷଣା ପରେ ଭୁବନେଶ୍ବରରେ ବିଜେପି-ବିଜେଡି ଲଢ଼େଇ ଚୂଡ଼ାନ୍ତ ।
ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ ଏବେ ଚର୍ଚ୍ଚା । କାରଣ ଗତ ୬ ମାସ ହେଲା ଭୁବନେଶ୍ବର ଲୋକସଭା କ୍ଷେତ୍ରର ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରାଯିବା ନେଇ ଆଲୋଚନା ଚାଲିଥିଲା। ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ବୁଲି ଶ୍ରୀମୟୀ ଲୋକଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। ଏପରିକି କାନ୍ଥରେ 'ଏଥର ଶ୍ରୀମୟୀ' ଲେଖାଯାଇଥିଲା ।
ଶ୍ରୀମୟୀଙ୍କୁ ସାଙ୍ଗରେ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସ୍ଥାନୀୟ ବିଧାୟକ । ଜଣେ ବିଧାୟକ ବି ଶ୍ରୀମୟୀ ମିଶ୍ର ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କରି ଦେଇଥିଲେ। ହେଲେ ଶ୍ରୀମୟୀଙ୍କ ବଦଳରେ ମନ୍ମଥକୁ ବିଜେଡି ପ୍ରାର୍ଥୀ କରିବାକୁ କର୍ମୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି।

ହଠାତ୍ କ'ଣ ଏମିତି ହେଲା ଯେ ଦଳ ପ୍ରାର୍ଥୀ ପରିବର୍ତ୍ତନ କଲା ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କଲେଣି। ମନ୍ମଥଙ୍କ ବିଜେଡିରେ ମିଶିବା ସମୟରେ ଭୁବନେଶ୍ବର ଲୋକସଭା କ୍ଷେତ୍ର ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀର କୌଣସି ବିଜେଡି ବିଧାୟକ ନ ଥିଲେ। ତିନି ବିଜେଡି ବିଧାୟକଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା।
ମନ୍ମଥଙ୍କ ଯୋଗଦାନ ପରେ ବିଜେଡିର ନେତା ଓ କର୍ମୀମାନେ ତାଙ୍କୁ କିଭଳି ସହଯୋଗ କରିବେ ତାହା ଉପରେ ସମସ୍ତଙ୍କ ନଜର। ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ବହୁ ଆଗରୁ ନିଷ୍ପତ୍ତି ନେଇଥିଲା। ପ୍ରଚାର ମଇଦାନକୁ ମଧ୍ୟ ଛାଡ଼ିଥିଲା। ବିଧାନସଭା କ୍ଷେତ୍ରର ବିଧାୟକ ଓ ବିଜେଡି ନେତାମାନେ ସହଯୋଗ କରିବାକୁ ନବୀନ ନିବାସରୁ ନିର୍ଦ୍ଦେଶ ରହିଥିଲା। ଗତ ସେପ୍ଟେମ୍ବର ମାସରୁ ପଦଯାତ୍ରା, ଘରେ ଘରେ ଶଙ୍ଖ ପରି କାର୍ଯ୍ୟକ୍ରମ କରାଯାଇଥିଲା। ଗୁଇନ୍ଦା ରିପୋର୍ଟ ଶ୍ରୀମୟୀଙ୍କ ସପକ୍ଷରେ ନ ଥିବାରୁ ଦଳ ପ୍ରାର୍ଥୀ ବଦଳାଇଥିବା କୁହାଯାଉଛି। ଶ୍ରୀମୟୀ ପଦଯାତ୍ରା ମାଧ୍ୟମରେ ଲୋକ ସମ୍ପର୍କ ସୃଷ୍ଟି କରିବା ସହ କର୍ମୀଙ୍କ ମଧ୍ୟରେ ପରିଚିତ ଚେହେରା ପାଲଟିଥାଏ ।
ଶ୍ରୀମୟୀଙ୍କ ବଦଳରେ ବିଜେଡି ମନ୍ମଥଙ୍କୁ ଟିକେଟ୍ ଦେଇ ଯେଉଁ ରିସ୍କ ନେଇଛି ତାହା କେତେଦୂର ଭୋଟ୍ରେ ପରିଣତ ହେବ? ଶ୍ରୀମୟୀଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର












Click it and Unblock the Notifications