ଟିକେଟ ପାଇଁ ରାଜଧାନୀରେ ମାଳ ମାଳ ନେତା; କୋଉଠି ବିଦ୍ରୋହ ତ କୋଉଠି କୋଳକୋଳି ?
ଟିକେଟ ପାଇଁ ରାଜଧାନୀରେ ମାଳ ମାଳ ନେତା । ବିଜେଡ଼ି, ବିଜେପି ଓ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ହେଭିୱେଟ ନେତାଙ୍କ ଭିଡ ଜମୁଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ଏବଂ ବିଧାୟକଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି ।
ଘୋଷଣା ହୋଇଥିବା ଟିକେଟ ନେଇ ବିଭିନ୍ନ ଜାଗାରେ ଅସନ୍ତୋଷ ଦେଖା ଦେଇଛି । ଏପରିକି ବିଜେପି କାର୍ଯ୍ୟାଳୟ ଭିତରେ ବିରୋଧ ଦେଖା ଦେଇଛି। ସେପଟେ ନବୀନ ନିବାସରେ ସକାଳ ହେବା ମାତ୍ରେ ଆଶାୟୀଙ୍କ ସମର୍ଥକଙ୍କ ଭିଡ଼ ଲାଗିଯାଉଛି । ଘୋଷଣା ହେବାକୁ ଥିବା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଟିକେଟ ବଣ୍ଟା ଆରମ୍ଭ ହେବା ଦିନରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି ।
ଘୋଷଣା ହେବାକୁ ଥିବା ବହୁ ଆସନର ବିଧାୟକମାନେ ନିଜ ଟିକେଟକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ଆଶାୟୀ ସେମାନଙ୍କ ସ୍ବର ଆହୁରି ଶାଣିତ କରିଛନ୍ତି । ସେପଟେ ରାଜ୍ୟ ସାରା ଦଳଡିଆଁ ପର୍ବ ଦେଖିବାକୁ ମିଳିଛି । ବଡ଼ ବଡ଼ ନେତା ଟିକେଟ ନ ପାଇ ଦଳ ଛାଡୁଛନ୍ତି।

ବିଜେପି ଛାଡୁଛନ୍ତି ଦଳର ସକ୍ରିୟ ନେତା । ସେହିପରି ବିଜେଡି ଛାଡିଛନ୍ତି ସିନେମା ଷ୍ଟାର । ଆଉ କଂଗ୍ରେସ ଉପରେ ନିଜର କର୍ମୀଙ୍କର ଭରସା ନାହିଁ । ଦିନେ ଯେଉଁ ଦଳକୁ ଚରମସୀମା ଯାଏଁ ଅପମାନ କରିଥିବା ପ୍ରାର୍ଥୀ ନିଜ ସ୍ବାର୍ଥ ପାଇଁ ଆସି ସେହି ଦଳରେ ଶରଣ ନେଉଛି । ଏଠି ଭୋଟ ଦେବେ ଜନତା, ଆଉ ଭକୁଆ ହେବେ ଜନତା । କାରଣ ଜନତାଙ୍କ ସେବା ନୁହଁ ନିଜ ପେଟ ପୋଷିବା ପାଇଁ ଚାଲିଛି ରାଜନୀତି ।
ଯାଜପୁର ଧର୍ମଶାଳାର ଲିକୁ ସାହୁଙ୍କ ସମର୍ଥକ ଦୁଇ ଦିନ କାଳ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଡେରା ପକାଇ ଥିଲେ । କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ନେତୃତ୍ବରେ ଶତାଧୀକ କର୍ମୀ ରାଜ୍ୟ ସଭାପତିଙ୍କୁ ସ୍ବାରକପତ୍ର ଦେଇଛନ୍ତି ।
ସେହିପରି ବିଧାୟକ ଅନନ୍ତ ଜେନା ନା ଆଶାୟୀ ଅମରେଶ ଜେନା କିଏ ପାଇବେ ଟିକେଟ, ସେ ଚର୍ଚ୍ଚା ଚାଲିଛି । ଉଭୟ କିନ୍ତୁ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭୁବନେଶ୍ୱର-ମଧ୍ୟ ଅଙ୍କ ଛିଡୁନି । ତେବେ ବିଜେଡି ଏହି ଦୁଇ ନେତାଙ୍କ ମଧ୍ୟକୁ କାହାକୁ ଟିକେଟ ଦେବ ନା ଦୁଇ ନେତାଙ୍କ କଳିରେ ତୃତୀୟ ପକ୍ଷ ବାଜି ମାରିନେବେ. ତା ଉପରେ ସାରା ରାଜ୍ୟର ନଜର ରହିଛି ।












Click it and Unblock the Notifications