Odisha Assembly Election 2024: କାହିଁକି କଣ୍ଟାବାଞ୍ଜି ବାଛିଲେ ନବୀନ ?
ବିଧାନସଭା ନିର୍ବାଚନ 2024: ସାରା ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଲାଗି ରହିଛି ଉତ୍ସାହ। ବିଗତ 5 ଥର ବିଧାନସଭାରେ ଏକତରଫା ଜିତି ସରକାରରେ ରହିଛି ବିଜେଡି। ଏଥର ମଧ୍ୟ ପୁଣି ବିଜୟୀ ହୋଇ ଷଷ୍ଠ ଥର ଲାଗି ଦଳ କ୍ଷମତାକୁ ଆସିବ ବୋଲି ଆଶାବାଦୀ ରହିଛି। ମାତ୍ର ଗତ ସମସ୍ତ ନିର୍ବାଚନ ଅପେକ୍ଷା, ଚଳିତ ନିର୍ବାଚନର ମାହୋଲ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ବିରୋଧୀ ବିଜେପି ଏଥର ରାଜ୍ୟରେ କଡ଼ା ମୁକାବିଲା କରିବା ଲାଗି ପ୍ରସ୍ତୁତ ହୋଇଛି।
ଏପରିକି ରାଜ୍ୟର କେତେକ ବିଧାନସଭା ଉପରେ ରହିଛି ଖାସ୍ ନଜର। ସେଥି ମଧ୍ୟରୁ ବେଶ୍ ରୋଚକଭରା ଆସନ ହେଉଛି କଣ୍ଟାବାଞ୍ଜି। କାରଣ, ଏହି ଆସନରୁ ପ୍ରୀର୍ଥୀ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସଭାପତି ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ପ୍ରାର୍ଥୀ ହେବା ସହ କଣ୍ଟାବାଞ୍ଜିରେ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଆସନରୁ ଛିଡ଼ା ହେବା ପରେ ବଲାଙ୍ଗୀର ରାଜନୀତି ଆହୁରି ଚଳଚଞ୍ଚଳ ହୋଇଉଠିଛି।
ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ସାମଗ୍ରିକ ପ୍ରଦର୍ଶନ ଓ ସାମ୍ପ୍ରତିକ ରାଜନୈତିକ ସ୍ଥିତି ବିଜେଡିର ରଣନୀତି ପରିବର୍ତ୍ତନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପଶ୍ଚିମ ଓଡ଼ିଶାରୁ ଲଢିବାକୁ ଯାଉଛନ୍ତି। ସେ ବିଜେପୁର, ବରଗଡ଼, ନର୍ଲା କି ରେଢାଖୋଲରୁ ପ୍ରାର୍ଥୀ ହୋଇ ନାହାନ୍ତି, ବରଂ କଣ୍ଟାବାଞ୍ଜିକୁ ବାଛିଛନ୍ତି।

ଗତ ନିର୍ବାଚନରେ ଏହି ଜିଲ୍ଲାର ଫଳାଫଳକୁ ମିଶ୍ରିତ ବୋଲି ବିଜେଡି ଶୀର୍ଷ ନେତୃତ୍ୱ ବିଚାର କରୁଥିଲା। ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଆସୁଥିବା 7 ବିଧାନସଭା କ୍ଷେତ୍ରରୁ ବିଜେପି ମାତ୍ର ଗୋଟିଏ ବିଧାନସଭା ସିଟ୍ ହାତେଇଥିଲା। ସେହିପରି କଂଗ୍ରେସ ମଧ୍ୟ କଣ୍ଟାବାଞ୍ଜି ଏବଂ ବଲାଙ୍ଗୀର ଆସନ ହାତେଇଥିଲା। ଅନ୍ୟ 4 ଆସନ ବିଜେଡି ଖାତାକୁ ଆସିଥିଲା।
ସୋନପୁର ଜିଲ୍ଲାର ଦୁଇ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିଲେ ବି ସାଂସଦ ପ୍ରାର୍ଥୀ ଲକ୍ଷ୍ୟ ଅନୁସାରେ ଭୋଟ୍ ପାଇଲେ ନାହିଁ। ଯଦି ଏପରି ହୋଇଥାନ୍ତା, ତେବେ ବିଜେଡି ଏମପି ପ୍ରାର୍ଥୀ କଳିକେଶ ଜିତିପାରିଥାନ୍ତେ । ତେଣୁ ଏଥର ଦଳ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ଆଣି ସାଂସଦ ଜିତିବାକୁ ଗୁରୁତ୍ୱ ଦେଉଛି ବୋଲି ଏକ ବାର୍ତ୍ତା ଦିଆଯାଉଛି।
ଜିଲ୍ଲାରେ ଅପେକ୍ଷାକୃତ ସଶକ୍ତ ଥିବା କଂଗ୍ରେସ ଓ ବିଜେପିକୁ ଜିଲ୍ଲାରେ ଆସନ ଶୂନ୍ କରିବାକୁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି। ନରସିଂହମିଶ୍ର, ସନ୍ତୋଷ ସିଂ ସାଲୁଜା, କେଭି ସିଂଦେଓ ଭଳି ନେତା ବିଜେଡିର ଭଲ ସମୟରେ ମଧ୍ୟ ଏକାଧିକ ଥର ଜିତିଥିବା ନଜିର ରହିଛି। ସେହିପରି ବଲାଙ୍ଗୀର ଜିଲ୍ଲାକୁ ସୋନପୁର, କଳାହାଣ୍ଡି, ବୌଦ୍ଧ, ନୂଆପଡା ଏବଂ ବରଗଡ଼ ଜିଲ୍ଲା ପାଖାପାଖି ରହିଛି। ଏହା ଦ୍ୱାରା ଏହି ସାମଗ୍ରିକ ଅଞ୍ଚଳରେ ଏକ ପ୍ରଭାବ ପଡିବ ବୋଲି ବିଜେଡି ନେତୃତ୍ୱ ଆଶା କରୁଛି। କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡ଼ ଲୋକସଭାରେ ଏହି ପ୍ରାର୍ଥୀ ଚୟନର ପ୍ରଭାବ ପଡିବ ବୋଲି ବିଜେଡି ଆଶା କରୁଛି।












Click it and Unblock the Notifications