ବିଜେପିରେ ମିଶିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର
ବିଜେପିରେ ମିଶିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମିଶ୍ର ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ପଦ୍ମ ଧରିଛନ୍ତି ।
ଆଜି ସକାଳ ପାଖାପାଖି ୧୦ଟା ୬ ମିନିଟ ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ବିଜେଡି ଛାଡିଥିଲେ । ମାତ୍ର ୨ ଘଣ୍ଟା ଭିତରେ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ, ସଭାପତି ଓ ବରିଷ୍ଠ ନେତାଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରିୟଦର୍ଶୀ । ବିଜେଡିରେ ତାଙ୍କୁ ଉଚିତ ସମ୍ମାନ ନମିଳିବାରୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା କହିଥିଲେ ।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର କହିଥିଲେ, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା'ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି।
ସେ ଆହୁରି କହିଥିଲେ, ଦଳ ଲଗାତାର ମୋତେ ଅଣଦେଖା କରିଛି। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା। ପରେ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ପାର୍ଟି ପାଇଁ କାମ କରିବାକୁ କୁହାଯାଇଥିଲା। ତା'ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା। ମୁଁ ସେହି ନିର୍ଦ୍ଦେଶ ମାନିଥିଲି। କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା। ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ଇସ୍ତଫା ଦେବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି ।












Click it and Unblock the Notifications