Assembly Election 2024: ପୁଅ ନିର୍ବାଚନୀ ପ୍ରଚାର ରଥରେ ବାପା ସାରଥୀ
Assembly Election 2024: ଓଡ଼ିଶା ବିଧାନସଭା ଲାଗି ବେଶ୍ ସରଗରମ ରହିଛି ରାଜ୍ୟ ରାଜନୀତି । ପ୍ରଚାର ମୈଦାନ କମ୍ପିବା ସହ ବଢୁଛି ନେତା ଓ କର୍ମୀଙ୍କ ମନୋବଳ । ଏଥର ଅନେକ ଆସନରେ ପୁରୁଖା ନେତା ସେମାନଙ୍କ ପିଲାମାନଙ୍କ ପାଇଁ ବାଟ ଛାଡ଼ିଛନ୍ତି । ନିଜେ ରାଜନୀତିରୁ ସନ୍ୟାସ ନେଇ ନିଜ ପିଲାମାନଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ଏମିତିକି ସେମାନଙ୍କ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ବାପା ।

ପୁରୁଖା ନେତାମାନେ ବୟସାଧିକ ହେଲେ ମଧ୍ୟ ପୁଅଝିଅଙ୍କ ରାଜନାତିକ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ବାହାରକୁ ବାହାରୁଛନ୍ତି । ନିଜ ନିଜର ପୁରୁଣା ସଙ୍ଗଠନକୁ ଧରି ରାଲି, ସମାବେଶ କରିବା ସହ ଭୋଟ୍ ମାଗୁଛନ୍ତି । ନିଜ ପିଲାଙ୍କ ସଙ୍ଗଠନକୁ ମଜଭୁତ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ।
2019 ରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଥିଲା । ବାପାଙ୍କ ଆସନରେ ପୁଅ ନିର୍ବାଚନ ଲଢି ବିଜୟୀ ମଧ୍ୟ ହୋଇଥିଲେ । କିନ୍ତୁ ଏହା ପଛରେ ଥିଲା ବାପାଙ୍କ ହାତ । ଚଳିତ ନିର୍ବାଚନରେ ମଧ୍ୟ ସେଭଳି ଆଉ କିଛି ନାଁ ସାମିଲ ହୋଇଛି । ଯେଉଁଠି ବାପାଙ୍କ ଗଡ଼ରେ ପୁଅ ନିର୍ବାଚନ ଲଢୁଛନ୍ତି ଏବଂ ବାପା ଏହି ନିର୍ବାଚନୀ ପ୍ରଚାରର ସାରଥୀ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ପାଟକୁରାରେ ପୁଅ ଅରବିନ୍ଦ ପାଇଁ ବାଟ ଛାଡ଼ିଛନ୍ତି ବିଜୟ । ସେହିପରି ମାହାଙ୍ଗାରେ ପ୍ରତାପ ଜେନା, ବୀରମିତ୍ରପୁରରେ ଯୋଶେଫ ପାଇଁ ଜର୍ଜ, ପୁଅ ସମରେନ୍ଦ୍ର ପାଇଁ ନରସିଂହ ମିଶ୍ର, ଅଭିନନ୍ଦନଙ୍କ ପାଇଁ ବସନ୍ତ ପଣ୍ଡା ବାଟ ଛାଡ଼ିଛନ୍ତି ।
ଅରବିନ୍ଦ ରଥରେ ବିଜୟ ସାରଥୀ
ରାଜ୍ୟ ରାଜନୀତିରେ ବେଶ୍ ଜଣାଶୁଣା ଚେହେରା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ଏଥର ନିର୍ବାଚନ ଲଢୁନାହାଁନ୍ତି । ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ କରିଛି । ଏହା ପରେ ପୁଅକୁ ଜିତାଇବା ପାଇଁ ଫୁଲ୍ ଦମ୍ ରେ ଲାଗି ପଡ଼ିଛନ୍ତି ବିଜୟ । ଅରବିନ୍ଦ ପାଟକୁରାରେ ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିବା ଆରମ୍ଭ କରିଦେଇଛନ୍ତି । ନିଜର ପୁରୁଣା ସଙ୍ଗଠନ ମଧ୍ୟ ଏଥିରେ ଲାଗିପଡ଼ିଛି । ରାଜନୀତିରେ ନୂଆକରି ପାଦ ଦେଇଥିବା ଅରବିନ୍ଦଙ୍କ ପଛରେ ରହି ରାଜନୀତିର ଗୋଟି ଚଳାଉଛନ୍ତି ବାପା ବିଜୟ ।
ଅଙ୍କିତଙ୍କ ପାଇଁ ପ୍ରତାପ
ମହାଙ୍ଗା ଆସନରୁ ବିଧାୟକ ହୋଇ ବହୁବାର ମନ୍ତ୍ରୀ ହୋଇଥିବା ପ୍ରତାପଙ୍କୁ ଏଥର ମିଳିନି ଟିକେଟ୍ । ପୁଅ ଅଙ୍କିତ୍ ଏହି ଆସନରୁ ବିଜେଡ଼ି ପ୍ରାର୍ଥୀ । ଏହା ପରେ ପୁଅ ଅଙ୍କିତଙ୍କ ପାଇଁ ବିଜୟର ନକ୍ସା ପ୍ରସ୍ତୁତ କରୁଛନ୍ତି ବିଜେଡିର ଟାଣୁଆ ନେତା ପ୍ରତାପ ଜେନା । ପୁଅ କିପରି ମାହାଙ୍ଗାରେ ବିଜୟ ହେବେ ସେଥିପାଇଁ ପ୍ରତାପ ନିଜର ପୁରୁଣା ସଙ୍ଗଠନକୁ ସକ୍ରିୟ କରିବା ସହ ନିଜେ ପ୍ରଚାରର ମଙ୍ଗ ଧରିଛନ୍ତି ।
ପୁଅ ପାଇଁ ଭୋଟ୍ ମାଗୁଛନ୍ତି ନରସିଂହ
ବଲାଙ୍ଗିର ଆସନରୁ ବିଧାୟକ ଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏଥର ନିର୍ବାଚନ ଲଢୁନାହାଁନ୍ତି । ସେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାର ମଙ୍ଗ ଧରିବା ସହ ବଲାଙ୍ଗିରରେ ତାଙ୍କର ପୁରୁଣା ସଂଗଠନକୁ ସକ୍ରିୟ କରାଇଛନ୍ତି । ନିଜେ ପୁଅଙ୍କ ସମର୍ଥନରେ ଭୋଟ୍ ମାଗିବା ସହ ପୁଅଙ୍କୁ ବିଜୟ ମୁକୁଟ ପିନ୍ଧାଇବା ପାଇଁ ଅହରହ ପରିଶ୍ରମ କରୁଛନ୍ତି ।
ବସନ୍ତ ରଥରେ ଅଭିନନ୍ଦନ
ବିଜେପିର ଭେଟେରାନ୍ ନେତା ତଥା ସାଂସଦ ବସନ୍ତ ପଣ୍ଡାଙ୍କ ବଦଳରେ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ନୂଆପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ପୁଅକୁ ଜିତାଇବା ପାଇଁ କଳବଳ କୌଶଳ ଲଗାଇଛନ୍ତି ବସନ୍ତ । ପୁଅ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ।
ସେହିପରି ବରିଷ୍ଠ ନେତା ମଙ୍ଗଳା କିସାନଙ୍କ ପୁଅ ଅନୀଲ୍ ବରୁଆ, ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ୍ ତିର୍କୀ, ଭକ୍ତ ଦାସଙ୍କ ପୁ୍ଅ ସାଗର ଦାସ ପ୍ରମୁଖଙ୍କ ପ୍ରାର୍ଥୀ ହୋଇଥିବାରୁ ସେମାନଙ୍କ ପାଇଁ ବାପାମାନେ ବି ପ୍ରଚାରରେ ବାହାରିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଊଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ଚିକିଟି ଆସନରୁ ବିଜେଡି ପ୍ରାର୍ଥୀ କରିଛି । ଏଠାରେ ନିଜଙ୍କୁ ପୁଅଙ୍କୁ ବିଜୟୀ କରିବା ପାଇଁ ମନ୍ତ୍ରୀ ଊଷା ଦେବୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସେହିପରି ଝିଅ ପାଇଁ କଂଗ୍ରେସ ନେତା ଭୁଜବଳ ମାଝି ମଧ୍ୟ ପ୍ରଚାର କରୁଥିବା ଦେଖାଯାଇଛି ।
ଏହା ବ୍ୟତୀତ ଗତ ନିର୍ବାଚନରେ ବାପାଙ୍କ ଆସନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ନିଜ ବାପାଙ୍କ ସହ ପ୍ରଚାର କରୁଥିବା ଦେଖାଯାଇଛି । ଗତ ନିର୍ବାଚନରେ ଏହି 2 ଯୁବ ବିଧାୟକଙ୍କ ବିଜୟ ପଛରେ ସେମାନଙ୍କ ବାପା ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ପ୍ରମୁଖ ବଡ଼ ଭୂମିକା ନେଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଦୁଇ ପ୍ରଭାତ ନିଜ ପିଲାମାନଙ୍କ ପାଇଁ ପ୍ରଚାର ଚଳାଇଥିବା ଦେଖାଯାଉଛି ।












Click it and Unblock the Notifications