ଅଭିନେତାରୁ ନେତା, ହଜମ ହେଉନି ନେତା ଠାଣି
ରାଜନୀତିରେ ଲୋକପ୍ରିୟ ହେବା ଲାଗି ବେଶ୍ ପରିଶ୍ରମ କରିବାକୁ ପଡ଼େ । ଲୋକଙ୍କ ସହ ମିଶିବା ଓ ଏହାକୁ ଭୋଟରେ ପରିଣତ କରିବାକୁ କେତେ ଯେ କଷ୍ଟ କରିବାକୁ ପଡ଼େ ତାହା କେବଳ ନେତା ହିଁ ଜାଣନ୍ତି । ତୃଣମୂଳସ୍ତରରେ ସଙ୍ଗଠନ କରିବା, ଲୋକଙ୍କୁ ନେଇ ବଡ଼ ବଡ଼ ନେତାଙ୍କ ଲାଗି ଭିଡ଼ ସୃଷ୍ଟି କରିବା, ଏମିତି କେତେ ଯେ ପାମ୍ପଡ଼ ବେଲିବା ପରେ ମିଳେ ଗୋଟେ ପଦବୀ । ଧିରେ ଧିରେ ବଢେ ଦବଦବା । ଦଳ ପ୍ରତି ଅନୁଗତ ରହିଲେ କିଛି ବର୍ଷର ପରିଶ୍ରମ ବଡ଼ ମଞ୍ଚ ଦେଇଥାଏ ।
କିନ୍ତୁ ଗତ କିଛି ବର୍ଷ ଧରି ରାଜନୀତିରେ ବେଶ୍ ରୁଚି ରଖୁଛନ୍ତି ଅଭିନେତା । ସିଧାସଳଖ ଅଭିନେତାରୁ ପାଲଟି ଯାଉଛନ୍ତି ନେତା । ଏଥିରେ ବେଶ୍ ସହାୟକ ହେଉଛି ସେମାନଙ୍କର ଲୋକପ୍ରିୟତା । କିଛି ବର୍ଷ ଟିଭି, ସିନେମାରେ କାମ କରିବା ପରେ ଲୋକମାନଙ୍କ ମଧ୍ୟରେ ଜଣାଶୁଣା ଚେହେରା ପାଲଟିଯାଉଛନ୍ତି । ଏହା ପରେ ରାଜନୀତିରେ ହେଉଛି ଏଣ୍ଟ୍ରି । ହିନ୍ଦୀ ଚଳଚ୍ଚିତ୍ର ଜଗତ ଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା କଳାକାର ମାନେ ରାଜନୀତିରେ ବେଶ୍ ସଫଳତା ମଧ୍ୟ ପାଇଛନ୍ତି । ଏପରିକି ଦକ୍ଷିଣ ଭାରତୀୟ କଳାକାର ନିଜ ନିଜର ଦଳ ଗଢିଛନ୍ତି । ଆଉ ଏ ସବୁ ସଫଳ ହୋଇପାରୁଛି ସେମାନଙ୍କ ପ୍ରତି ସିନେ ପ୍ରଶଂସକମାନଙ୍କର ଅତୁଟ ଭଲପାଇବା । ଜାତୀୟ ରାଜନୀତିକୁ ଦେଖିଲେ କଳାକାରମାନେ ବଡ଼ ବଡ଼ ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି ।
ଜୟଲଳିତା, ହେମାମାଳିନୀ, ଶତ୍ରୁଘ୍ନ ସିହ୍ନା, ଅମିତାବ ବଚନ, ରାଜେଶ ଖାନ୍ନା, ସ୍ମୃତି ଇରାନୀ ଭଳି ଅନେକ କଳାକାର ଜଗତରୁ ରାଜନୀତିକୁ ଆସି ବେଶ୍ ସଫଳତା ପାଇଛନ୍ତି । କିନ୍ତୁ, ଯଦି ଆମେ ଆମ ରାଜ୍ୟ ଓଡ଼ିଶାର ରାଜନୀତିକୁ ପରଖିବା, ତେବେ ଓଡ଼ିଆ ସିନେଜଗତର କଳାକାର ସେତେଟା ସଫଳ ହୋଇଥିବା ନଜିର ନାହିଁ । ଏହି କ୍ରମରେ ବିଚାର କଲେ, ପ୍ରଶାନ୍ତ ନନ୍ଦ ଜଣେ ସଫଳ ରାଜନେତା ହୋଇପାରିଥିଲେ । ସିନେ ଦୁନିଆ ବ୍ୟତୀତ ରାଜନୀତିରେ ସେ ଜଣେ ଜଣାଶୁଣା ନେତା ହୋଇପାରିଥିଲେ । କିନ୍ତୁ ପରବର୍ତ୍ତୀ ପିଢିରେ ସେଭଳି ଅଭିନେତା ରୁ ନେତା ହୋଇ ସଫଳ ହେବା ଖୁବ୍ କୋଚିଦ୍ ।
ବର୍ତ୍ତମାନ ରାଜ୍ୟ ରାଜନୀତିରେ ଅନେକ ସିନେ କଳାକାର ସକ୍ରିୟ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଛାଡ଼ିଦେଲେ, ପ୍ରାୟ ଅନ୍ୟମାନେ କେବଳ ପ୍ରଚାର ପାଇଁ ରାଜନୈତିକ ଦଳମାନେ ବ୍ୟବହାର କରୁଥିବା ଭଳି ମନେହୁଏ । ଚଳିତ ଓଡ଼ିଆ ସିନେ ଜଗତର ଷ୍ଟାର କୁହାଯାଉଥିବା ଅନୁଭବ, ସିଦ୍ଧାନ୍ତ, ଅରିନ୍ଦମ ରାଜନୀତିରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବିଜେଡ଼ି ଦଳରେ ଥିବା ତିନି ନେତା ଏବେ ବିଜେପି ଡଙ୍ଗାର ଯାତ୍ରୀ । ଓଡିଆ ଫିଲ୍ମ ଜଗତର ଏହି ତିନି ସୁପରଷ୍ଟାର ଦୀର୍ଘଦିନରୁ ରାଜ୍ୟ ରାଜନୀତି ସହ ଜଡିତ । 2019 ରେ କେନ୍ଦ୍ରାପଡାରୁ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି ।

ସେହି ବିଜେଡି ଟିକେଟରେ 2009 ରୁ 2019 ଯାଏଁ ବ୍ରହ୍ମପୁରରୁ ଲୋକସଭା ସାଂସଦ ଥିଲେ ସିଦ୍ଧାନ୍ତ ମହାପାତ୍ର । ତେବେ ବିଜେଡିରେ ଦୀର୍ଘଦିନ ସକ୍ରିୟ ରହିବା ପରେ ଅବହେଳା ଅଭିଯୋଗ କରି ଏବେ ବିଜେପି ଶିବିରରେ ଯୋଗ ଦେଇଛନ୍ତି ଅରିନ୍ଦମ ରାୟ । 2009 ରେ ଗଞ୍ଜାମ ରାଜନୀତିରେ ହଠାତ୍ ଆବିର୍ଭାବ ହୋଇଥିବା ସିଦ୍ଧାନ୍ତ ହେଭିୱେଟ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପରାଜିତ କରିଥିଲେ । ହେଲେ ଚନ୍ଦ୍ରଶେଖର ସାହୁ ବିଜେଡିକୁ ଆସୁଆସୁ ଅଲୋଡା ହୋଇଗଲେ ସିଦ୍ଧାନ୍ତ ମହାପାତ୍ର । ସେବେଠାରୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଆଉ ପ୍ରାୟତଃ ଦେଖାଯାଉନଥିଲେ ସିଦ୍ଧାନ୍ତ ମହାପାତ୍ର ।
କିଛିଦିନ ତଳେ ଅଚାନକ ସିଦ୍ଧାନ୍ତ ଗୋପାଳପୁରରେ ସକ୍ରିୟ ହୋଇଥିବାରୁ ତାଙ୍କ କମବ୍ୟାକ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ପରେ ସେ ବିଜେପିରେ ସାମିଲ ହୋଇ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଅପରପକ୍ଷରେ ପାରିବାରିକ ବିବାଦରେ ଫସିବା ପରେ ଉଭୟ ଦଳ ଓ ଦଳର ଶୀର୍ଷ ନେତୃତ୍ୱ ଅନୁଭବଙ୍କୁ ଦୂରେଇ ଦେଇଥିଲେ । ସେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଟିକେଟ୍ ନ ପାଇ ଅରିନ୍ଦମ ମଧ୍ୟ ପଦ୍ମ ପୋଖରୀକୁ ଯାଇଛନ୍ତି ।
ଏମାନଙ୍କ ବ୍ୟତୀତ, ମୁନା ଖାଁ, ଶ୍ରୀତମ ଦାସ, ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ହରିହର ମହାପାତ୍ର ଆଦି ଅନେକ କଳାକାର ରାଜନୀତିରେ ରହିଛନ୍ତି । କେବଳ ସିନେ ଜଗତ ନୁହଁ, ଯାତ୍ରା କଳାକାର ମାନେ ମଧ୍ୟ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି । ସିନେମା ଦୁନିଆରେ ହାସଲ କରିଥିବା ଲୋକପ୍ରିୟତା କେବଳ ସେମାନଙ୍କୁ ରାଜନୀତିରେ ସହାୟ ହେଉଛି । ହେଲେ, କିଛି ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ନିଜର ପତିଆରା ଜାହିର କରିପାରୁନାହାଁନ୍ତି । କେବଳ ପ୍ରଚାର ବେଳେ ଦଳମାନେ ସେମାନଙ୍କୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।
ହେଲେ, ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ତିନି କଳାକାର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଏବଂ ଅରିନ୍ଦମଙ୍କୁ ନେତା ଠାଣି ପସନ୍ଦ ଆସୁନଥିବା ଚର୍ଚ୍ଚା ହେଉଛି । ଲୋକଙ୍କ ନଜରରେ ରହିବା ପାଇଁ ବିବାଦୀୟ ମନ୍ତବ୍ୟ ଦେବାରେ ବ୍ୟସ୍ତ ରହୁଛନ୍ତି ଆଜିକାଲିର କଳାକାର । ଦଳରୁ ଟିକେଟ୍ ପାଇ କ୍ଷମତା ପାଇବା ପରେ ପରବର୍ତ୍ତୀ ସମୟରେ ଟିକେଟ୍ ନ ମିଳିଲେ ଦଳ ଛାଡ଼ିବା ଭଳି ସହଜ ରାସ୍ତା ବାଛୁଛନ୍ତି ।
ଫଳରେ ଲୋକଙ୍କ ମନରେ ଥିବା ବିଶ୍ୱାସ ହରାଉଛନ୍ତି ବୋଲି କେତେ ପ୍ରଶଂସକ ମତ ପ୍ରକାଶ କରିଛନ୍ତି । ତେବେ ଅନ୍ୟ ରାଜ୍ୟ ଭଳି ଆମ ଓଡ଼ିଶାରେ ଅଭିନେତାରୁ ନେତା ହେବା ପରେ ଲୋକଙ୍କ ପ୍ରତି ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ଆସୁଥିବା ପରିବର୍ତ୍ତନରେ କେବେ ସୁଧାର ଆଣିବେ ତାହା ଦେଖିବା ବାକି ରହିଲା ।












Click it and Unblock the Notifications