ଝାରସୁଗୁଡା ଉପନିର୍ବାଚନ: ଏପ୍ରିଲ ୨୦ ଯାଏଁ ନାମାଙ୍କନ ଦାଖଲ, ମେ’ ୧୦ରେ ଭୋଟ ଗ୍ରହଣ
ଝାରସୁଗୁଡ଼ା: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜି ଠାରୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।
ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବ ନାମାଙ୍କନପତ୍ର ଦାଖଲ । ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୨୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଉପ-ନିର୍ବାଚନରେ ଦେଖିବାକୁ ମିଳିବ । ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇବେ ।
ସୂଚନାଥାଉ କି, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications