ଦିଲ୍ଲୀ ରାଜନୀତିରେ ନୂଆ ସମୀକରଣ, ଆପକୁ ସମର୍ଥନ କରିବ କଂଗ୍ରେସ
ନୂଆଦିଲ୍ଲୀ: ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା କଂଗ୍ରେସ। ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆପ୍ ଯେଉଁ ଲଢ଼େଇ କରୁଛି, ତାକୁ ସମର୍ଥନ କରିବ କଂଗ୍ରେସ ।
ଏହି କ୍ରମରେ କେଜ୍ରିୱାଲ ବିରୋଧୀମେଣ୍ଟ ବୈଠକରେ ଯୋଗଦେବା ନେଇ ସମ୍ଭାବନା ବୃଦ୍ଧି ପାଇଛି । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି କି ଆସନ୍ତାକାଲି ବିରୋଧୀ ମେଣ୍ଟ ବୈଠକରେ କେଜ୍ରିୱାଲ ଯୋଗ ଦେଇପାରନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କେ.ସି ବେଣୁଗୋପାଳ କହିଛନ୍ତି କି, କେନ୍ଦ୍ର ସରକାରଙ୍କର ଅଧ୍ୟାଦେଶ ବିରୋଧରେ କଂଗ୍ରେସର ମତ ସ୍ପଷ୍ଟ । କଂଗ୍ରେସ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ଅଧ୍ୟାଦେଶକୁ କେବେ ବି ସମର୍ଥନ କରିବ ନାହିଁ ବୋଲି ବେଣୁଗୋପାଳ ସ୍ପଷ୍ଟ କରିଛନ୍ତି ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକରେ ଯୋଗ ନ ଦେବାକୁ ଆପ୍ ଧମକ ଦେଇଥିଲା । ମାତ୍ର କଂଗ୍ରେସର ଏହି ଘୋଷଣା ପରେ ଆପ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବାଟ ଓଗାଳିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି । ଆପ୍ ନେତା ରାଘବ ଚଡ୍ଡା କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିବ ବୋଲି ସ୍ପଷ୍ଟ ଭାବେ କହିଛି । ଏଥିରେ କୌଣସି ସନ୍ଦେହ ବା ଦ୍ୱନ୍ଦ୍ୱ ନାହିଁ ।
ଦିଲ୍ଲୀର ଆପ୍ ସରକାର ଏହି ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହି ଆସୁଛନ୍ତି। ଦଳର ରଜନୀତିକ ବ୍ୟାପାର କମିଟି (ପିଏସି)ର ବୈଠକ ଆଜି ଅନୁଷ୍ଠିତ ହେବ। ଯେହେତୁ କଂଗ୍ରେସ ଏହି ଅଧ୍ୟାଦେଶକୁ ବିରୋଧ କରିବ ବୋଲି ଘୋଷଣା କରିସାରିଛି, ତେଣୁ ଆସନ୍ତାକାଲି ବିରୋଧୀଙ୍କ ବୈଠକରେ ଆପ୍ ଯୋଗ ଦେବ କି ନାହିଁ ସେ ନେଇ ପିଏସି ବୈଠକରେ ନିଷ୍ପତ୍ତି ହେବ ।












Click it and Unblock the Notifications