ବିରାଟ୍ ରେକର୍ଡ କରିବେ ନବୀନ: ୧୦ ଦିନ ପରେ ଭାଙ୍ଗିବେ ଏହି ରେକର୍ଡ
ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଗତ ୨୩ ବର୍ଷଧରି ଅପରାଜୟ ଅପ୍ରତିଦ୍ୱନ୍ଦି ମୁଖ୍ୟମନ୍ତ୍ରୀ ଭାବେ ନିରବଛିନ୍ନ ଭାବେ ଶାସନ କରି ଆସୁଛନ୍ତି । ଆଉ ଖୁବଶୀଘ୍ର ନବୀନ ଏକ ବଡ଼ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ।
ଆଗାମୀ ଜୁଲାଇ ୨୩ ତାରିଖରେ ଅର୍ଥାତ୍ ୧୦ ଦିନ ପରେ ନବୀନ ଭାରତର ସବୁଠାରୁ ଦ୍ୱିତୀୟ ସର୍ବାଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ନିଜ ନାମରେ କରିବେ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ବର୍ତ୍ତମାନ ୧୦ ଦିନ ପରେ ଏହି ରେକର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଙ୍ଗିବେ ।

ଜନନାୟକ ନବୀନ
୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୯୮ ମସିହାରେ, ସେ ତାଙ୍କ ପିତାଙ୍କ ନାମରେ ଏକ ଦଳ ଗଠନ କରି ଏହାର ନାମ ବିଜୁ ଜନତା ଦଳ ରଖିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।
ତେବେ ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ସମୟରେ ନବୀନ ଓଡ଼ିଆ ଜାଣି ନଥିଲେ । କିନ୍ତୁ ଗଲା ୨୩ ବର୍ଷ ଧରି ନବୀନଙ୍କ ବ୍ୟତିତ ଆଉ କେହି ବୋଧହୁଏ ଓଡ଼ିଶାବାସୀଙ୍କ ଭାଷା ବୁଝିପାରି ନାହାନ୍ତି । ଯେଉଁଥି ପାଇଁ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି ।

ଗରିବ ରାଜ୍ୟରୁ ଅନ୍ୟତମ ପରିଚୟ
୧୯୯୯ ମସିହାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପୂର୍ବରୁ ଓଡିଶାକୁ ମହାବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସରକାରୀ ଆକଳନ ଅନୁଯାୟୀ ଏହି ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେତେବେଳର ଗରିବ ପଛୁଆ ଓଡ଼ିଶାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଆଣି ଛିଡ଼ା କରିଛନ୍ତି, ସମଗ୍ର ବିଶ୍ୱ ତାକୁ ଆଖି ଉଠାଇ ଚାହୁଁଛି । ଅଭାବି ରାଜ୍ୟରୁ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି, ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ନବୀନଙ୍କ ନେତୃତ୍ୱରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ଓଡିଶାର ଅଭିବୃଦ୍ଧି ହାର ବିଷୟରେ କହିବାକୁ ଗଲେ ଏହା ୨୦୨୧-୨୨ ବର୍ଷରେ ୧୧.୫ ପ୍ରତିଶତ ଏବଂ ୨୦୨୨-୨୩ ବର୍ଷରେ ୭.୮ ପ୍ରତିଶତ ଥିଲା। ଏହା ବ୍ୟତୀତ ଭାରତରେ ଇସ୍ପାତ ଉତ୍ପାଦନ କ୍ଷମତାର ୨୦ ପ୍ରତିଶତ ଓଡିଶାରେ ଅଛି। ଏହି ରାଜ୍ୟ ବର୍ତ୍ତମାନ ବିଦ୍ୟୁତ୍ ସରପ୍ଲସ୍ ରାଜ୍ୟ ମଧ୍ୟରୁ ଗୋଟିଏ ।

ନବୀନଙ୍କ ବ୍ୟକ୍ତିତ୍ୱ
ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏପରି ଜଣେ ନେତା ଯିଏ ଗଣମାଧ୍ୟମ ସାମ୍ନାରେ କ୍ୱଚିତ୍ କଥା କୁହନ୍ତି, କିନ୍ତୁ ଗତ ୨୩ ବର୍ଷ ମଧ୍ୟରେ ସେ ଓଡିଶାକୁ ନୂଆ ରୂପ ଦେବାରେ ସେ ଟିକିଏ ଅବହେଳା କରିନାହାନ୍ତି । ନବୀନ ପଟ୍ଟନାୟକ ହେଉଛନ୍ତି ଭାରତୀୟ ରାଜନୀତିର ଏପରି ଜଣେ ନେତା ଯିଏ ବହୁତ କମ୍ କଥା କୁହନ୍ତି ଏବଂ ତାଙ୍କର କାମ ଅଧିକ କଥା କୁହେ ।
କେନ୍ଦ୍ରରେ ଥିବା ସରକାରକୁ ନବୀନ ପଟ୍ଟନାୟକ ସମର୍ଥନ କରନ୍ତି ଏବଂ ରାଜ୍ୟରେ ସମସ୍ତ ଲୋକପ୍ରିୟ ନେତା ନବୀନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥାନ୍ତି । ଯାହା ଫଳରେ ବିରୋଧୀମାନେ ନବୀନଙ୍କୁ ଶତଚେଷ୍ଟା ସତ୍ୱେ ବିଫଳ ହୋଇଥାନ୍ତି । ନବୀନ ପ୍ରଥମେ ବିଜେପି ସହିତ ମିଶି ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଶାସନ କରିଥିଲେ । ଏହାପରେ ବିଜେପି ହାତ ଛାଡ଼ି ନବୀନ ଏକାକି ଆଗକୁ ବଢିଥିଲେ ଏବଂ ସେବେଠାରୁ ବିରୋଧୀ ନବୀନଙ୍କୁ ହରାଇବା ଦୁରର କଥା ତାଙ୍କ ବିରୋଧରେ ଲୋକମତ ସୃଷ୍ଟି କରିବାରେ ମଧ୍ୟ ବିଫଳ ହୋଇଛନ୍ତି ।

ଦୀର୍ଘତମ ମୁଖ୍ୟମନ୍ତ୍ରୀଙ୍କ ତାଲିକା
ପୱନ କୁମାର ଚାମଲିଙ୍ଗ- ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ଡିସେମ୍ବର ୧୨, ୧୯୯୪ ରେ ପ୍ରଥମଥର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପରେ ମେ ୨୧ ତାରିଖ ୨୦୧୪ ରେ ସେ ସିକ୍କିମର କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏପ୍ରିଲ ୨୯ ତାରିଖ ୨୦୧୮ରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ। ସେ ସମୁଦାୟ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଲେ।
ଜ୍ୟୋତି ବସୁ: ପୱନ କୁମାରଙ୍କ ପରେ ଜ୍ୟୋତି ବସୁଙ୍କ ନାମ ଦ୍ୱିତୀୟ ସ୍ଥାନରେ ଆସୁଛି। ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମ୍ ର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ବର୍ତ୍ତମାନ ୧୦ ଦିନ ପରେ ଏହି ରେକର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଙ୍ଗିବେ। ଜ୍ୟୋତି ବସୁ ୨୧ ଜୁନ୍ ୧୯୭୭ ରୁ ୫ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ବଙ୍ଗଳାର ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ।












Click it and Unblock the Notifications