କାଲି ନବୀନ-ନୀତିଶ ଭେଟଘାଟ୍: ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା, ବିଜେପି ବିରୋଧୀ କ୍ୟାମ୍ପରେ ସାମିଲ ହେବେ କି ମୁଖ୍ୟମନ୍ତ୍ରୀ ?
Nitish-Naveen Meet: ଆସନ୍ତାକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କାଲି ଅପରାହ୍ଣ ୧୨ଟାରେ ନବୀନ ନିବାସରେ ଭେଟ୍ ଘାଟର କାର୍ଯ୍ୟକ୍ରମ ରହିଛି ।
ମିଳିଥିବା ସୂଚନା ଅନୁସାରେ ସେ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ସିଧା ନବୀନ ନିବାସ ଆସିବେ । ନବୀନ ନିବାସରେ ନବୀନଙ୍କ ସହିତ ସାକ୍ଷାତ କରି ମଧ୍ୟାହ୍ନ ଭୋଜନ ସାରି ସଂଧ୍ୟାରେ ଫେରି ଯିବେ । ତେଣୁ ନବୀନଙ୍କ ସହ ଭେଟଘାଟ୍ ରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ-ନବୀନଙ୍କ ମଧ୍ୟରେ ହେବ କି ଗୁପ୍ତ ଆଲୋଚନା ? ବିଜେପି ବିରୋଧୀ ମେଣ୍ଟ ନେଇ ଦୁହିଁଙ୍କ ମଧ୍ୟରେ ହେବ କି ଆଲୋଚନା ?

କାରଣ ବିଜେପି ବିରୋଧୀ ମହାମେଣ୍ଟ ପାଇଁ ମହାଅଭିଯାନ ଆରମ୍ଭ ହୋଇଛି । ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିକ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କିଛି ଦିନତଳେ ଭେଟିଥିଲେ ନୀତିଶ । ଆଉ ସାଥିରେ ଥିଲେ ତେଜସ୍ଵୀ ଯାଦବ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ନୀତିଶ ।
ତେବେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ନବୀନଙ୍କ ଆଭିମୁଖ୍ୟ କ'ଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିବା ପାଇଁ କହି ଆସୁଥିବା ନବୀନ ତାଙ୍କ ମତ ପରିବର୍ତ୍ତନ କରିବେ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ।
ତେବେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ନୀତିଶ କଣ ପାଇଁ ଆସୁଛନ୍ତି ତାହା କାହାକୁ କୁହାଯାଇ ନାହିଁ। ହେଲେ ସେ କେବଳ ନବୀନଙ୍କ ସାକ୍ଷାତ କରିବାକୁ ଆସୁଥିବାରୁ ଏଥିରେ ରାଜନୀତି ବ୍ୟତିତ ଆଉ କିଛି ହୋଇ ନ ପାରେ ବୋଲି ସେ କହିଛନ୍ତି। ତେବେ ମହାମେଣ୍ଟ ନେଇ ନବୀନ ପୂର୍ବରୁ ବାରମ୍ବାର ସୂଚନା ଦେଇ ସାରିଛନ୍ତି।
ସୂଚନାଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆସିଥିଲେ । ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କୁହାଯାଉ ଥିଲା । ମାତ୍ର ବିଜେପି ବିରୋଧୀ ମେଣ୍ଟ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ଧରିଥିଲା ।
ସେପଟେ ନବୀନ- ନୀତିଶଙ୍କ ଭେଟଘାଟ ନେଇ ବିଜେପି କଟାକ୍ଷ କରିଛି । ରାଜ୍ୟ ଶାସନର ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ । ନବୀନଙ୍କ ପାଖରେ ନିଷ୍ପତି ନେବାର ଅଧିକାର ବି ନାହିଁ ବୋଲି ବିଜେପି କହିଛି ।












Click it and Unblock the Notifications