‘ଅଗଷ୍ଟ ସୁଦ୍ଧା ଭାଙ୍ଗିଯିବ ମୋଦୀ ସରକାର, କୌଣସି ସମୟରେ ହୋଇପାରେ ନିର୍ବାଚନ'
Modi Government: ମୋଦୀ ସରକାର ପୁଣି କ୍ଷମତାକୁ ଆସିବାର ଗୋଟିଏ ମାସ ପୁରିଛି । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଗଷ୍ଟ ସୁଦ୍ଧା ମୋଦୀ ସରକାର ଭାଙ୍ଗିଯାଇପାରେ ଏବଂ କୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ଦାବି କରିଛନ୍ତି ଜଣେ ବରିଷ୍ଠ ନେତା ।
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ପୂର୍ବାନୁମାନ କରିଛନ୍ତି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସରକାର ଅଗଷ୍ଟ ସୁଦ୍ଧା ଭାଙ୍ଗିଯାଇପାରେ । ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଛନ୍ତି, "ମୁଁ ସମସ୍ତ ଦଳର କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ନିବେଦନ କରୁଛି । କାରଣ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ । ଦିଲ୍ଲୀରେ ମୋଦୀଙ୍କ ସରକାର ଅତ୍ୟନ୍ତ ଦୁର୍ବଳ ଏବଂ ଅଗଷ୍ଟ ସୁଦ୍ଧା ଭୁଷୁଡ଼ିପାରେ ।"
ଆରଜେଡିର ଫାଉଣ୍ଡେସନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳର ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ''କ୍ଷମତାର ଲୋଭରେ ଜନତା ଦଳ (ୟୁନାଇଟେଡ୍) ସେମାନଙ୍କର ଆଦର୍ଶ ସହ ବୁଝାମଣା କରିଛନ୍ତି ଏବଂ ବିଜେପି ସହ ଏକ ମେଣ୍ଟ ଗଠନ କରିଥିଲେ । ଆରଜେଡି ଏକମାତ୍ର ଦଳ, ଯିଏକି ବିଜେପି ଆଗରେ ମୁଣ୍ଡ ନୁଆଁଇନାହିଁ କିମ୍ବା ବୁଝାମଣା କରିନାହିଁ । ସାସନରେ ରହିବା ବଡ଼ କଥା ନୁହଁ । ଦୁର୍ବଳ ଏବଂ ବଞ୍ଚିତଙ୍କ ପାଇଁ ଆମର ସଂଗ୍ରାମ ।
ତେଜସ୍ୱୀ ଯାଦବ ଆହୁରି କହିଛନ୍ତି, "ଲୋକସଭା ନିର୍ବାଚନରେ ଆମର ଭୋଟ୍ ଅଂଶ 9% ବୃଦ୍ଧି ପାଇଥିବାବେଳେ ଏନଡିଏର ଭୋଟ୍ ଅଂଶ 6% ହ୍ରାସ ପାଇଛି । ଆଜି ଆରଜେଡି 4 ଟି ସିଟ୍ ଜିତିଛି । ଆମେ ଅଧିକ ଜିତି ପାରିଥାନ୍ତୁ । ତଥାପି ଆମର ସହଯୋଗୀ ଦଳ ଏହି ଲୋକସଭା ନିର୍ବାଚନରେ 9 ଟି ସିଟ୍ ଜିତିଛି ।
2024 ଲୋକସଭା ନିର୍ବାଚନରେ କେଉଁ ଦଳ ପାଇଛି କେତେ ଆସନ ?
2024 ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି 240 ଟି ଆସନ ପାଇଥିଲା, କିନ୍ତୁ 272 ର ସଂଖ୍ୟାଗରିଷ୍ଠତା ହାସଲ କରିନଥିଲା । ସହଯୋଗୀ ଜେଡି (ୟୁ), ଟିଡିପି ଇତ୍ୟାଦି ସହଯୋଗରେ ବିଜେପି ସରକାର ଗଠନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ରମାଗତ ତୃତୀୟ ଥର ପାଇଁ ବାଟ ଫିଟିଛି ।
ମୋଦୀ 3.0 କ୍ଷମତାକୁ ଆସିବା ପରଠାରୁ ଅନେକ ବିରୋଧୀଦଳ ନେତା ଦାବି କରିଆସୁଛନ୍ତି ଯେ ସରକାର ଅଧିକ ଦିନ ରହିବେ ନାହିଁ ଏବଂ କିଛି ମାସ ମଧ୍ୟରେ ଏହା ଭାଙ୍ଗିଯିବ । ଏଭଳି ସମୟରେ ଲାଲୁଙ୍କ ମନ୍ତବ୍ୟ ପୁଣି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।












Click it and Unblock the Notifications