ମନ୍ତ୍ରୀପଦ ନ ମିଳିବା ପରେ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା: ମୁଁ ଲବି କରିନଥିଲି, ଅସନ୍ତୁଷ୍ଟ ସମର୍ଥକଙ୍କୁ ବୁଝାଇଛି
ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରୁ ବାଦ ପଡିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ । ତେବେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାରୁ ତାଙ୍କ ସମର୍ଥକମାନେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି ।
ତେବେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ସୁଶାନ୍ତ କହିଛନ୍ତି, ମନ୍ତ୍ରୀପଦ ନ ମିଳିବାକୁ ନେଇ ସମର୍ଥକଙ୍କ ଭିତରେ ଅସନ୍ତୋଷ ରହିଛି । ତେବେ ତାଙ୍କ ସମର୍ଥକକୁ ସେ ବୁଝାସୁଝା କରିଛନ୍ତି । ମନ୍ତ୍ରୀପଦ ପାଇଁ ସେ କୌଣସି ଲବି କରି ନଥିଲେ । କିନ୍ତୁ ମନ୍ତ୍ରୀପଦ ମିଳିବ ବୋଲି ସମର୍ଥକଙ୍କର ଆଶା ଥିଲା । ସେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରୁଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ଉପରେ ଆଶୀର୍ବାଦ ରହିଛି ।

ସେପେଟ ସୁଶାନ୍ତ ଏବଂ ଦୀପାଳିଙ୍କ ମଧ୍ୟରେ ଥିବା ମନାନ୍ତର ପାଇଁ ଏହାର ଲାଭ ଶାରଦା ନାୟକ ପାଇଛନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପ୍ରତିକ୍ରିୟା ରଖି ସୁଶାନ୍ତ କହିଛନ୍ତି ଯେ, ''ମୁଁ ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର କରିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ବି ଉପସ୍ଥିତ ଥିଲି । କିନ୍ତୁ ଗଣମାଧ୍ୟମରେ ଏପରି କାହିଁକି ପ୍ରଚାର ହେଲା ତାହା ମୁଁ କହିପାରିବି ନାହିଁ । ଦୀପାଳି ଓ ମୋ ଭିତରେ କଳି କଥାକୁ ନେଇ ମିଡିଆରେ ଭିନ୍ନ କଥା ପ୍ରଚାର ହେଉଛି। ହେଲେ ମୁଁ ତ ଉପନିର୍ବାଚନ ସମୟରେ କହିଥିଲି କି ଝାରସୁଗୁଡ଼ାରେ ଦୀପାଳି ଦାସ ୪୦ ହଜାର ଭୋଟରେ ଜିତିବେ । ମୋର କୌଣସି ଅସନ୍ତୋଷ ନାହିଁ ।''
ସୂଚନାଥାଉ କି, ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ସୁଶାନ୍ତ ସିଂ। କୁହାଯାଉଛି, ସୁଶାନ୍ତ ସିଂଙ୍କ ରଣକୌଶଳ ପାଇଁ ବିଜେଡି ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହୋଇଥିଲା । ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କାଳରେ ଦଳର ଅଧିକାଂଶ ବିଧାୟକ ଉପସ୍ଥିତ ଥିବା ବେଳେ ସୁଶାନ୍ତ ସିଂ କିନ୍ତୁ ଅନୁପସ୍ଥିତ ଥିବା ଦେଖା ଯାଇଥିଲା । ତେବେ ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କିନ୍ତୁ ଉପସ୍ଥିତ ଥିଲେ । ଯାହା ପରେ ଚର୍ଚ୍ଚା ଜୋର ଧରିଥିଲା ।












Click it and Unblock the Notifications