ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହା; ସୋନପୁରରେ ଜନସଭାକୁ କରିବେ ସମ୍ବୋଧନ
Odisha Assembly Election 2024/ Lok Sabha Election: ଆଜିଠୁ ରାଜ୍ୟ ବିଜେପି ଆରମ୍ଭ କରିବ ପ୍ରଚାର । ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜିଠୁ ବିଜେପିର ବିଧିବଦ୍ଧ ଭାବେ ପ୍ରଚାର ବିଗୁଲ ଫୁଙ୍ଖିବେ। ଅପରାହ୍ଣ ସାଢ଼େ ୩ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଶାହ । ସେଠାରୁ ସୋନପୁର ଯାଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ।
ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଶାହ ସୋନପୁରରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ। ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ।
ଓଡ଼ିଶାରେ ବିଜେପି କେମିତି ଅଧିକରୁ ଅଧିକ ଲୋକସଭା ଆସନ ଜିତିବ, ତା ଉପରେ ରହିବ ଶାହଙ୍କ ଫୋକସ୍ । ଏଥିସହ ରାଜ୍ୟରେ କ୍ଷମତା ପରିବର୍ତ୍ତନର ମନ୍ତ୍ର ଦେବେ ଶାହ । ରାଜ୍ୟ ନେତୃତ୍ବ ଓ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଶାହ ତାଙ୍କ ଭାଷଣରେ କଣ କହିବେ, ତା ଉପରେ ରହିଛି ନଜର ।

୨୦୧୯ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ବହୁତ୍ ଭଲ ପ୍ରଦର୍ଶନ କରିଥିଲା । ବିଶେଷ କରି ଲୋକସଭା କ୍ଷେତ୍ରରେ କ୍ଲିନ୍ ସୁଇପ୍ କରିଥିଲା ପଦ୍ମ ଦଳ । ୫ ଲୋକସଭା ଆସନ ସହିତ ୮ ବିଧାନସଭା ହତେଇଥିଲା ବିଜେପି । ତେଣୁ ଏଥର ବି ପଶ୍ଚିମ ଓଡ଼ିଶାକୁ ଫୋକସ୍ କରିଛି ଦଳ । ସେଥିପାଇଁ ଅମିତ ଶାହ ପଶ୍ଚିମ ଓଡ଼ିଶାରୁ କ୍ୟାମ୍ପେନ୍ ଆରମ୍ଭ କରିବାକୁ ଯାଉଛନ୍ତି ।
ବଲାଙ୍ଗିର ଲୋକସଭା ଅଧୀନରେ ଆସୁଥିବା ସୋନପୁର ଆସନ । ଆଉ ବଲାଙ୍ଗିର ଲୋକସଭା କ୍ଷେତ୍ରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ହ୍ରାସ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ଶାହ ଆସି ପ୍ରଚାର କରିବା ବିଜେପି ପାଇଁ ବେଶ୍ ଫାଇଦା ହେବ ବୋଲି କୁହାଯାଉଛି ।
ସୋନପୁର ସଭାରେ ଶାହ ତାଙ୍କ ଭାଷଣରେ କଣ କହିବେ ? ରାଜ୍ୟ ସରକାରଙ୍କୁ ସମାଲୋଚନା କରିବେ ନା ନିରବ ରହି ମୋଦି ସରକାରଙ୍କ ଯୋଜନା ଉପରେ ଫୋକସ୍ କରିବେ, ତା ଉପରେ ରହିଛି ନଜର ।
ଅମିତ ଶାହଙ୍କ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ଯାହା ଦ୍ଵାରା ଏହାର ପୁରା ପ୍ରସ୍ତୁତି ସହ ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେପି ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ କିଛିଦିନ ବାକିଥିବା ଥିବାବେଳେ ସରଗରମ ହେଲାଣି ରାଜନୀତି। ସବୁଦଳର ନେତାମାନେ ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆର ମ୍ଭ କଲେଣି ।












Click it and Unblock the Notifications