ରାଜ୍ୟର ୫ ଲୋକସଭା ଆସନ ପାଇଁ ଚେହେରା ସ୍ପଷ୍ଟ; ସୁନ୍ଦରଗଡ଼, କୋରାପୁଟରେ କଡ଼ା ଟକ୍କର
ରାଜ୍ୟର ୫ ଲୋକସଭା ଆସନ ପାଇଁ ଚେହେରା ସ୍ପଷ୍ଟ ହୋଇଛି । ବିଜେଡି, ବିଜେପି ଓ କଂଗ୍ରେସ ଏହି ୫ ଆସନ ପାଇଁ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ଆସନଗୁଡ଼ିକ ହେଲା ସୁନ୍ଦରଗଡ଼, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି । ୩ ଦଳ ସେମାନଙ୍କର ପ୍ରମୁଖ ଦାବିଦାରଙ୍କୁ ଏସବୁ ଆସନରେ ଓହ୍ଲାଇଥିବାରୁ ୨୦୨୪ ଲଢେଇ ହେବ ଜୋରଦାର ।
ନିର୍ବାଚନ ରଣାଙ୍ଗନରେ ଲଢ଼େଇ ପାଇଁ ପ୍ରସ୍ତୁତ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ମହାସମରକୁ ଓହ୍ଲାଇଲେଣି ୩ ଦଳର ମହାଯୋଦ୍ଧା । ତେବେ ଏପର୍ଯ୍ୟନ୍ତ ୫ଟି ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି ।

ସୁନ୍ଦରଗଡ
ସୁନ୍ଦରଗଡ ଲୋକସଭା ଆସନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେଇଛି । ବିଜେପି ବର୍ତ୍ତମାନର ସାଂସଦ ଜୁଏଲ୍ ଓରାମଙ୍କୁ ପୁଣିଥରେ ଟିକେଟ୍ ଦେଇଥିବାବେଳେ, ବିଜେଡି ଲୋକପ୍ରିୟ ହକି ଖେଳାଳି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ସୁନ୍ଦରଗଡ ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ତେଣୁ ତେଣୁ ସୁନ୍ଦରଗଡରେ ଜୁଏଲ, ଦିଲ୍ଲୀପ ଓ ଜନାର୍ଦ୍ଦନଙ୍କୁ ନେଇ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।
କଳାହାଣ୍ଡି
କଳାହାଣ୍ଡି ଲୋକସଭା ଆସନରେ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେଇଛି । କଳାହାଣ୍ଡି ଆସନ ପାଇଁ ବିଜେଡି ଲମ୍ବୋଧର ନିଆଲଙ୍କୁ ଟିକେଟ ଦେଇଥିବା ବେଳେ, ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ୍ କାଟି ମାଳବିକା କେଶରୀ ଦେଓଙ୍କୁ ମୈଦାନକୁ ଓହ୍ଲାଇଛି । ସେହିପରି ମଙ୍ଗଳବାର କଳାହାଣ୍ଡି ଆସନରେ କଂଗ୍ରେସ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏଥର ବିଜେପି ଓ କଂଗେସ୍ରର ଦୁଇ ମହିଳା ପ୍ରାର୍ଥୀଙ୍କୁ ଟକ୍କର ଦେବେ, ବିଜେଡି ପ୍ରାର୍ଥୀ ଲମ୍ବୋଧର ନିଆଲ ।
ନବରଙ୍ଗପୁର
ନବରଙ୍ଗପୁରେ ବିଜେଡି ପ୍ରଦୀପ ମାଝୀଙ୍କୁ ଟିକେଟ୍ ଦେଇଥିବାବେଳେ, ବିଜେପି ନବଚରଣ ମାଝୀଙ୍କୁ ମୈଦାନକୁ ଓହ୍ଲାଇଛି । ଅନ୍ୟପଟେ କଂଗ୍ରେସ ଭୁଜବଳ ମାଝୀଙ୍କୁ ଟିକେଟ୍ ଦେଇ ଏହି ଲଢେଇକୁ ଆହୁରି ରୋଚକ କରିଛି । ତେଣୁ ଏଥର ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ୩ ମାଝୀଙ୍କ ଭିତରେ ଜୋରଦାର ଲଢେଇ ହେବ ।
କନ୍ଧମାଳ
କନ୍ଧମାଳ ପାଇଁ ବିଜେଡି ବର୍ତ୍ତମାନର ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣି ଟିକେଟ ଦେଇଛି । ସେପଟେ ବିଜେପି କିନ୍ତୁ ଅଚ୍ୟୁତଙ୍କୁ ଟକ୍କର ଦେବାକୁ ସୁକାନ୍ତ ପାଣିଗ୍ରାହୀଙ୍କୁ ଆଗକୁ ଆଣିଛି । ସେହିପରି କଂଗ୍ରେସ ନେତା ଅମୀର ଚାନ୍ଦ ନାୟକ ଟିକେଟ ପାଇବା ପରେ କନ୍ଧମାଳ ଲଢେଇକୁ ଆହୁରି ରୋଚକ କରିଛି । ବିଜେଡି ଏହି ଆସନରେ ଜିତାପଟ ହାସଲ କରିବାକୁ ଜୋରଦାର କସରତ କରୁଥିବାବେଳେ, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଟକ୍କର ଦେବାକୁ ପ୍ରସ୍ତୁତ ।
କୋରାପୁଟ
କୋରାପୁଟ ଆସନ ପାଇଁ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେଇଛି । ବିଜେଡି ଏହି ଆସନରୁ କୌଶଲ୍ୟା ହିକକ୍କାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବାବେଳେ, ବିଜେପି ଜୟରାମ ପାଙ୍ଗୀଙ୍କ ବଦଳରେ କାଳୀରାମ ମାଝୀଙ୍କୁ ଟିକେଟ୍ ଦେଇଛି । ସେପଟେ କଂଗ୍ରେସ ହାତରେ ଥିବା ରାଜ୍ୟର ଏକମାତ୍ର ଲୋକସଭା ସିଟ୍ ହେଉଛି କୋରାପୁଟ । ଆଉ ଏହି ଆସନରୁ ସପ୍ତଗିରି ଉଲ୍ଲାକା ପୁଣିଥରେ ପ୍ରାର୍ଥୀ ହେଇଛନ୍ତି ।
ତେବେ ଦେଖିବାକୁ ବାକି ରହିଲା ଏଠାରେ କେମିତି କିଏ ନିଜ ଗାଦି ବଞ୍ଚାଉଛି ।












Click it and Unblock the Notifications