ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର; ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା
ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ। ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ ।
ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ ।ତେଣୁ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ଲେଖାଶ୍ରୀ ।

ଗତକାଲି ମଧ୍ୟ ବିଜେପି ଛାଡ଼ିଥିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ସେ ମଧ୍ୟ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ । ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ । ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ।
କିଛି ଦିନ ତଳେ ରାଜ୍ୟ ବିଜେପିର ଆଉ ଜଣେ ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ର ଦଳ ଛାଡ଼ିଥିଲେ। ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଭୃଗୁ ୨୦୧୯ରେ ବିଜେପି ଟିକେଟରେ ଏହି ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ବିଜେପି ଏଥର ଏହି ଆସନରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ।
ବିଜେପିରେ ଜାରି ରହିଛି ବିଦ୍ରୋହ । ବିଧାନସଭା ପ୍ରାର୍ଥୀ ଘୋଷଣା ପରଠୁ ରାଜ୍ୟ କାର୍ଯ୍ୟାଳୟରେ ବିଦ୍ରୋହ ଦେଖିବାକୁ ମିଳିଛି । ଅସନ୍ତୋଷ ତେଜିବାରେ ଲାଗିଛି। ବିବାଦ ଥମିବାର ନାଁ ଧରୁନି । ଉପାନ୍ତରୁ ଉପକୂଳ ସବୁଠି ବିଦ୍ରୋହ । ଭୁବନେଶ୍ବର ଜୟଦେବ, ବଡ଼ମ୍ବା, ରେମୁଣା, ଖୋର୍ଦ୍ଧା, ଧର୍ମଶାଳା, ବାଙ୍କୀ ଓ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ଥିବା ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି ।
ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ତୁଙ୍ଗ ନେତା ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାର୍ଯ୍ୟାଳୟ ବାହାରେ ଦଳ ବିରୋଧରେ ଶୁଭିଥିଲା ଜୋରଦାର ପ୍ରତିବାଦ।












Click it and Unblock the Notifications