ଅନେକ ରାଜନୈତିକ ଅଧ୍ୟାୟକୁ ଜନ୍ମ ଦେବ କର୍ଣ୍ଣାଟକ ଫଳାଫଳ
ବେଙ୍ଗାଲୁରୁ: ଚଳିତ ବିଧାନସଭା ନିର୍ବାଚନ ଫଳାଫଳ କର୍ଣ୍ଣାଟକର ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ଯୋଡିଛି। ବିଗତ ବିଧାନସଭା ନିର୍ବାଚନ ଗୁଡିକରେ କୌଣସି ଦଳ ସଂଖ୍ୟା ଏକାକି ସରକାର ଗଠନ ପାଇଁ ଗରିଷ୍ଠତା ହାସଲ କରି ପାରି ନଥିବା ଯୋଗୁ ଦଳ ବଦଳ ଓ ରାଜନୈତିକ ଘୋଡା ବ୍ୟାପାର କର୍ଣ୍ଣାଟକ ରାଜନୀତିର ଅବିଚ୍ଛେଦ ଅଂଶ ହୋଇପଡିଥିଲା ।
୨୨୪ ଆସନ ଥିବା କର୍ଣ୍ଣାଟକ ବିଧାନ ସଭା ନିର୍ବାଚନରେ ମ୍ୟାଜିକ୍ ଅଙ୍କ ୧୧୩ ଠାରୁ ଯଥେଷ୍ଟ ଅଧିକ ଆସନ ପାଇବାରେ ସକ୍ଷମ ହୋଇଛି କଂଗ୍ରେସ। ବିଗତ ଏକାଧିକ ନିର୍ବାଚନର ଫଳାଫଳ କୌଣସି ରାଜନୈତିକ ଦଳକୁ କ୍ଷମତା ହାସଲ ପାଇଁ ଆବଶ୍ୟକ ୧୧୩ ଆସନ ଦେଇନଥିଲା। ଏଭଳି ଅସ୍ଥିର ଅଙ୍କ ପ୍ରଶ୍ରୟ ଦେଉଥିଲା ଘୋଡା ବେପାରକୁ ।

୨୦୦୮ରେ ବିଜେପି ୧୧୦ଟି ଆସନ ହାସଲ କରି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ଅଙ୍କ ଠାରୁ ମାତ୍ର ୩ଟି ଆସନ କମ୍ ପାଇଥିଲା। ତେବେ ରାଜ୍ୟରେ ସରକାର ଗଠନ ପାଇଃ ସକ୍ଷମ ହୋଇଥିଲା ଦଳ। ୨୦୧୩ କଂଗ୍ରେସ ୧୨୨ଟି ଆସନ ଅକ୍ତିଆର କରି ସରକାର ଗଠନ କରିଥିଲା ଯାହାକି ସ୍ଥିର ସରକାର ପ୍ରଦାନ କରିଥିଲା ରାଜ୍ୟକୁ।
୨୦୧୮ରେ କ୍ଷମତା ଠାରୁ ମାତ୍ର ୯ଟି ଆସନ କମ୍ ପାଇଥିଲା ବିଜେପି। ତେବେ ଯେଣତେଣ ପ୍ରକାରରେ ଦଳ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା। ଯଦିଓ କର୍ଣ୍ଣାଟକରେ କ୍ଷମତାସୀନ ଥିଲା ବିଜେପି ତଥାପି ଦଳ ଭିତରେ ଅନେକ ଅନ୍ତର୍ଦ୍ବନ୍ଦ ରହିଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦବୀକୁ ମଣ୍ଡନ କରିଥିବା ୟେଦିରୁପ୍ପାଙ୍କୁ ହଟାଇ ବସବରାଜ ବୋମାଇଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା ।
ଅନ୍ୟ ପକ୍ଷରେ କଂଗ୍ରେସ ବିଗତ ପାଞ୍ଚ ବର୍ଷ ମଧ୍ଯରେ ସଂଗଠନକୁ ସୁଦୃଢ କରିବାରେ ସକ୍ଷମ ହୋଇଛି। ମଲ୍ଲିକାର୍ଜୁନ ଖରଗେଙ୍କୁ କଂଗ୍ରେସ ନେତୃତ୍ଵ ଦେବା ଫଳରେ କର୍ଣ୍ଣାଟକରେ ଦଳର କର୍ମୀ ସବୁଠାରୁ ଅଧିକ ଖୁସି ଥିଲେ। ଏହା ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ କରିଥିଲା। ଖାରଗେ ମଧ୍ଯ କର୍ଣ୍ଣାଟକ ବିଜୟ ଓ ପରାଜୟର ସମସ୍ତ ଶ୍ରେୟ ନିଜ ମୁଣ୍ଡକୁ ନେଇଥିଲେ ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ଡେକାନ୍ ଭିକ୍ଟୋରି ଦଳକୁ ଅଧିକ ମଜଭୁତ କରିବ ଏଥିରେ ସନ୍ଦେହ ନାହିଁ। ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚି ଥିବା ଦେଶର ରାଜନୀତିରେ ରାହୁଳ ଗାନ୍ଧୀଙ୍କ ନେତୃତ୍ବକୁ ଏବେ ଭୋଟର ଗୁରୁତର ସହ ବିଚାର କରିବାକୁ କିଛିଟା ବାଧ୍ଯ ହେବେ।












Click it and Unblock the Notifications