କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2085 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି ମଧ୍ୟ କଳାହାଣ୍ଡିର ରୂପାନ୍ତରର ସବୁ ଶ୍ରେୟ ହେଉଛି ଇନ୍ଦ୍ରାବତୀ ନଦୀ । ଏଥିପାଇଁ ଆଗାମୀ ଦିନରେ କଳାହାଣ୍ଡିରେ ହେବ ଇନ୍ଦ୍ରାବତୀ ମ୍ୟୁଜିଅମ, ପାର୍କ ଓ ମନ୍ଦିର । ଏହି ଇନ୍ଦ୍ରାବତୀ ମ୍ୟୁଜିୟମ୍ କହିବ କଳାହାଣ୍ଡି ବିକାଶର କାହାଣୀ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଲେ ନବୀନ

ଆଜି କଳାହାଣ୍ଡି ଗସ୍ତରେ 54ଟି ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ, 52 ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସାଧାରଣ ସଭାରେ ଉଦବୋଧନ ଦେବା ଅବସରରେ ବିଜୁ ପଟ୍ଟନାୟକଙ୍କ ସହ କଳାହାଣ୍ଡିର ସମ୍ପର୍କ ବିଷୟରେ କହିଥିଲେ ନବୀନ । ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ବାବୁ 90 ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ । ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରିଥିଲି, ବିଜୁ ବାବୁ କହିଥିଲେ "Nothing to be worried.କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋର ଯେତିକି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।" ଆହୁରି ମଧ୍ୟ ନବୀନ କହିଥିଲେ 2000 ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ବିଜୁ ପଟ୍ଟନାୟକଙ୍କ ଏହି କଥା ମନେଥିଲା । ଓଡିଶା ମା'ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା । ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡିଶା ପାଇଁ ବାଟ ଦେଖାଇଛି ବୋଲି ସେ କହିଥିଲେ ।
ଭୋକର ଭୂଗୋଳରୁ ଭାତହାଣ୍ଡି

କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି। 10 ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି । ଏ ସବୁ ସମ୍ଭବ ହୋଇପାରିଛି କଳାହାଣ୍ଡି ର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ ଦୃଢ ଇଚ୍ଛା ଶକ୍ତି ଗଭୀର ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଧାନ ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଏହି ଅବସରରେ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ସେହିପରି ଜଳସେଚନ ସୁବିଧା ୩ ଗୁଣ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ Best Performing District ହୋଇପାରିଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି କଳାହାଣ୍ଡି ବୋଲି କହିଛନ୍ତି ନବୀନ ।
କମିଛି ଶିଶୁ ମୃତ୍ୟୁ ହାର
2000 ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ 76 ଥିବାବେଳେ, ମାତୃ ମୃତ୍ୟୁ ହାର 432
ଥିଲା । ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ଆଜି ଏହି ହାର କମିଛି ଏବଂ ଆମେ ବହୁ ସଂଖ୍ୟାରେ ଶିଶୁ ଓ ମା ମାନଙ୍କର ଜୀବନ ରକ୍ଷା କରିପାରିଛୁ ବୋଲି ଆଜି ସାଧାରଣ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶେଷରେ କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଇନ୍ଦ୍ରବାତୀ ଆମର ମା ଏବଂ କଳାହାଣ୍ଡିର ଜୀବନରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି । କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଉଦ୍ୟାନ ଭିତରେ ମା ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୁରା ବିନିଯୋଗ କରିବା ସହିତ ଭବିଷ୍ୟତ ପୀଢି ପାଇଁ ଇନ୍ଦ୍ରବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ବାନ ଜଣାଇଥିଲେ। ଏଥିସହିତ ଏଠାରେ ଏକ ମ୍ୟୁଜିୟମ ପ୍ରତିଷ୍ଠା ହେବ ଯାହା ସାରା ବିଶ୍ବକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ ବୋଲି ସେ କହିଥିଲେ । ସୂଚନାଥାଉକି, ଆଜି ଉଦ୍ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସ୍ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ମନ୍ତ୍ରୀ ଶ୍ରୀ ରଘୁନଦନ ଦାଶ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ଅନେକ ବିଧାୟକ ଓ ନେତା ଉପସ୍ଥିତ ଥିଲେ ।