ମଞ୍ଚ ଉପରରୁ ନବୀନଙ୍କୁ ନଡ୍ଡାଙ୍କ ଟାର୍ଗେଟ୍: ଓଡ଼ିଶାକୁ ଚଳାଉଛି କିଏ, ନେତା ନା ଅଫିସର ?
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିଜେପିର 'ମହା ଜନସମ୍ପର୍କ ଅଭିଯାନ' ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବା ସହ ସଭାକୁ ସମ୍ବୋଧିତ କରିଛନ୍ତି । ତେବେ ମଞ୍ଚ ଉପରୁ ସିଧା ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ନଡ୍ଡା । ସେ କହିଛନ୍ତି, ଓଡ଼ିଶାକୁ ଚଳାଉଛି କିଏ, ନେତା ନା ଅଫିସର ?
ନଡ୍ଡା ତାଙ୍କ ଉଦବୋଧନରେ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି । ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟ ଓ ଗରିବ ରାଜ୍ୟ ଭାବେ ଏବେ ବି ପରିଚିତ ହେଉଛି । ନବୀନ ବାବୁ କିଛି କରୁ ନାହାନ୍ତି । ଆଉଟ୍ ସୋର୍ସିଂରେ ରାଜ୍ୟ ସରକାର ଚାଲିଛି । ବିଧାୟକ, ସାଂସଦ, ମନ୍ତ୍ରୀଙ୍କ କଥା ରହୁନି । ଏଭଳି ସରକାର ଦରକାର କି ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ସମୟ ଆସିଗଲାଣି , ଆଗାମୀ ଦିନରେ ଦିଲ୍ଲୀରେ ବି ବିଜେପି ସରକାର ହେବ ଏବଂ ଓଡ଼ିଶାରେ ମଧ୍ୟ ସରକାର କରିବ ବିଜେପି ।

ତେବେ ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ସରକାର ରାସନ ଦେଉଛନ୍ତି ବୋଲି କହିଛନ୍ତି ନଡ୍ଡା । ତାହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡିକୁ ସିଧା ନିଶାନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉ ନାହାନ୍ତି ବୋଲି ନଡ୍ଡା ତାଙ୍କ ଉଦ୍ବୋଦନରେ କହିଛନ୍ତି ।
ଖାଲି ସେତିକି ନୁହେଁ ନଡ୍ଡା ଆହୁରି କହିଛନ୍ତି ଯେ, ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି, ଏହାର ତଦନ୍ତ କରାଯିବ । ତଦନ୍ତ କରାଯାଇ ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ଉଦବୋଧନରେ କହିଛନ୍ତି । ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି । ହେଲେ ଏଠାରେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି । ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ନଡ୍ଡା ।
ସୂଚନାଥାଉ କି, ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣାରେ ପହଞ୍ଚିଥିଲେ । ପ୍ରଥମେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିଥିଲେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସମ୍ପର୍କ ସମାବେଶରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ । ଆଜି ନଡ୍ଡା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications