କାଲି ଝାରସୁଗୁଡ଼ାବାସୀଙ୍କୁ ମିଳିବ ନୂଆ ନେତା:୧୪ ଟେବୁଲରେ ୧୮ ରାଉଣ୍ତରେ ହେବ ଗଣତି
ଝାରସୁଗୁଡ଼ା ଉପନିର୍ବାଚନ: ଆସନ୍ତାକାଲି ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ଫଳାପଳ । ସକାଳ ୮ଟାରୁ ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଶେଷ ହେବା ପରେ ସାଢେ ୮ଟାରୁ ଇଭିଏମ୍ ଗଣତି ଆରମ୍ଭ ହେବ । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ତରେ ହେବ ଗଣତି । ଗଣତି କେନ୍ଦ୍ର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ନେଇ ସୂଚନା ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ ।
ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡ଼ା ସ୍ଥିତ ଇଞ୍ଜିନିୟରିଂ କଲେଜରେ ହୋଇଛି ଭୋଟ ଗଣନା କେନ୍ଦ୍ର । ୨୫୩ ବୁଥ୍ ଥିବାରୁ ୧୮ ରାଉଣ୍ତ ଗଣନା ହେବ । ସଂଧ୍ୟା ୪ଟାରୁ ୬ଟା ମଧ୍ୟରେ ପ୍ରକାଶ ପାଇବ ଫଳାଫଳ । ମତ ଗଣନା କେନ୍ଦ୍ରରେ ସେଣ୍ଟ୍ରାଲ ଅବଜରଭର ଟିମ୍ ଉପସ୍ଥିତ ରହିବା ସହ ଷ୍ଟ୍ରଙ୍ଗ ରୁମକୁ ସଂପୂର୍ଣ୍ଣ ସିସିଟିଭି ସ୍କାନରେ ରଖାଯାଇଛି ।

ପ୍ରତ୍ୟେକ ଟେବୁଲରେ ଜଣେ କାଉଟିଙ୍ଗ୍ ସୁପରଭାଇଜରଙ୍କ ସହ ଜଣେ ସହାୟକ ଏବଂ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହିବା ନେଇ ରହିଛି ସୂଚନା । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥର ସାଧାରଣ ଜନତା ମଧ୍ୟ ସିଧାସଳଖ ଭୋଟ୍ ରେଜଲ୍ଟ ଜାଣିପାରିବେ ।
www.result.eci.gov.in ୱେବସାଇଟରେ ଲଗଇନ୍ କରି ଉପନିର୍ବାଚନ ଫଳାଫଳ ଜାଣି ପାରିବେ । ଅନ୍ୟପକ୍ଷରେ ସିଇଓଙ୍କ ଅଫିସ ପରିସରରେ ମଧ୍ୟ ରେଜଲ୍ଟ ଜାଣିବାର ବ୍ୟବସ୍ଥା କରାଯାଇଛି ।

ଉଲ୍ଲେଖଥାଉ କି, ଝାରସୁଗୁଡା ନିର୍ବାଚନ ମୈଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଭୋଟ ଗଣତି ହେବ । କିଏ ଜିତୁଛି ଝାରସୁଗୁଡ଼ା ବାଜି !
ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଭୋଟ ସଂଖ୍ୟା ଅଧିକ ରହିଥିଲା । ମହିଳାଙ୍କ ଭୋଟ ସଂଖ୍ୟା ୭୭,୦୨୦ ଥିବା ବେଳେ ପୁରୁଷଙ୍କ ଭୋଟ ସଂଖ୍ୟା ୭୪,୦୦୮ । ମୋଟ ୧ ଲକ୍ଷ ୫୦ ହଜାର ୦୩୫ ଭୋଟ ଗ୍ରହଣ କରାଯାଇଛି ।












Click it and Unblock the Notifications