ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟଙ୍କଧର ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଦଳୀୟ ଟିକେଟ୍ ଗ୍ରହଣ କରି ବିଶାଳ ଶୋଭା ଯାତ୍ରାରେ ନାମାଙ୍କନ ଲାଗି ବାହାରି ଥିଲେ ।
ତେବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଆସନ୍ତାକାଲି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି ।

ନାମାଙ୍କନ ଦାଖଲ ଅବସରରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ୟେ ନିର୍ବାଚନ ହେଉଛି ନ୍ୟାୟ ଓ ଅନ୍ୟାୟର ଲଢ଼େଇ । ଝାରସୁଗୁଡ଼ା ଅଧିକ ରାଜସ୍ୱ ଦେଉଥିବା ବେଳେ ରାଜ୍ୟ ସରକାର ଅନ୍ୟାୟ କରୁଛନ୍ତି । ୨୪ ବର୍ଷର ଶାସନରେ ଏଠି ସରକାରୀ କଲେଜ ନାହିଁ । ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ । ସ୍ୱାସ୍ଥ୍ୟ ସେବା ଠିକ ନାହିଁ । ଆଇନ୍ ଶୃଙ୍ଖଳା ନଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଟଙ୍କଧର । କହିଛନ୍ତି ଏ ନିର୍ବାଚନ ଝାରସୁଗୁ଼ଡ଼ାବାସୀ ଲଢ଼ୁଛନ୍ତି, ମୁଁ ନିମିତ୍ର ମାତ୍ର ।
ନାମାଙ୍କନ ଅବସରରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ, କେଭି ସିଂଦେଓ, ସମୀର ମହାନ୍ତି, ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୂର୍ବରୁ ବିଜେଡି ନିର୍ବାଚନକୁ ନଜରରେ ରଖି ଦଳର କର୍ମୀଙ୍କ ମଧ୍ୟରେ ଗୁରୁ ଦାୟିତ୍ବ ବାଣ୍ଟି ସାରିଥିବା ବେଳେ ବିଜେପି ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨ଟି କମିଟି ଗଠନ କରିଛି । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ରହିଛନ୍ତି ୮ ଜଣ ସଦସ୍ୟ। ସେହିପରି ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଚାର କମିଟିରେ ରହିଛନ୍ତି ୧୪ ସଦସ୍ୟ । ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂଦେଓ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ମହାପାତ୍ର ରହିଛନ୍ତି ।
ସେହିପରି ପ୍ରଚାର କମିଟିରେ ରହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଂଗୀତା ସିଂଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଶଙ୍କର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ରଂଜନ କୁମାର ପଟେଲ୍ ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ଆସନ୍ତା ମେ' ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ' ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।












Click it and Unblock the Notifications