ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ
ଝାରସୁଗୁଡ଼ା: କଂଗ୍ରେସ, ବିଜେପି ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦୀପାଳି ।
ତେବେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୀପାଳିଙ୍କ ସହ ଉପସ୍ଥିତ ଥିଲେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ । ଝାରସୁଗୁଡ଼ାର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଦୀପାଳି ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

ସୂଚନାଥାଉ କି, ଗତାକାଲି ଅର୍ଥାତ୍ ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତା ପୂର୍ବରୁ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି ।

ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏ ନେଇ ଦଳ ପକ୍ଷରୁ ତାଙ୍କର ନାଁ ଘୋଷଣା କରାଯାଇଥିଲା । ସେ ଗତ ୧୫ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ଆଣିଥିଲେ ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ଆସନ୍ତା ମେ' ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ' ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।












Click it and Unblock the Notifications