ଝାରସୁଗୁଡା ଉପ-ନିର୍ବାଚନ: ଟିକେଟ୍ ରେସରେ କିଏ କିଏ ? କେଉଁ ଦଳ କାହାକୁ କରିବ ପ୍ରାର୍ଥୀ ?
ଝାରସୁଗୁଡା: ବାଜିଛି ଝାରସୁଗୁଡା ଉପ-ନିର୍ବାଚନ ବିଗୁଲ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଏହି ଆସନରେ ହେବାକୁ ଯାଉଛି ଉପ-ନିର୍ବାଚନ । ତେବେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଜିଲ୍ଲାରେ ସରଗରମ ହୋଇଛି ରାଜନୈତିକ ପାଣିପାଗ । ତିନି ପ୍ରମୁଖ ରାଜନୈତିକ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
କହିରଖୁ କି, ଆସନ୍ତା ମେ ୧୦ ତାରିଖରେ ପଡିବ ଝାରସୁଗୁଡା ଉପ ନିର୍ବାଚନ୍ ଭୋଟ୍ । ଫଳାଫଳ ମେ ୧୩ ତାରିଖରେ ପ୍ରକାଶ ପାଇବ । ୧୩ ଏପ୍ରିଲରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଏପ୍ରିଲ ରଖାଯାଇଛି । ନାମାଙ୍କନ ଯାଞ୍ଚ ଏପ୍ରିଲ ୨୧, ପ୍ରତ୍ଯାହାର ୨୪ ତାରିଖ ରହିଛି । ତେବେ ଏହାରି ଭିତରେ ରାଜ୍ୟର ତିନି ପ୍ରମୁଖ ଦଳ ଉପ ନିର୍ବାଚନ ପାଇଁ କାହାକୁ ଟିକେଟ୍ ଦେବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ଆଉ ଆଲୋଚନା ।

କିଏ ହେବେ କାହାର ପ୍ରାର୍ଥୀ ?
ଦୀପାଳିଙ୍କୁ ବିଜେଡି ଟିକେଟ୍
ବିଦ୍ଧିବଦ୍ଧ ଭାବେ ଘୋଷଣା ନ ହୋଇଥିଲେ ମଧ୍ୟ ଏହା ତ ଏକ ପ୍ରକାର ଥୟ ଯେ, ନବଙ୍କ ଝିଅ ଦୀପାଳି ଦାସଙ୍କୁ ଦଳ ଟିକେଟ୍ ଦେବ । କାରଣ ଦୀପାଳି ଦାସ ଗାଁକୁ ଗାଁ ବୁଲିବା ସହିତ ସଙ୍ଗଠନ ସଜାଡୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ସେ ଲୋକଙ୍କ ପାଖରେ ପହଞ୍ଚିବା ସହିତ ନାନାଦି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଖାଲି ସେତିକି ନୁହେଁ, ମନ୍ଦିର ପ୍ରତିଷ୍ଠାଠୁ ଆରମ୍ଭ କରି ନାମଯଜ୍ଞ ଭଳି କାର୍ଯ୍ୟରେ ମଧ୍ୟ ଦୀପାଳି ସାମିଲ ହେଉଛନ୍ତି ।
ତେବେ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ । କହିଛନ୍ତି, ତାଙ୍କ ବାପାଙ୍କ ଦେହାନ୍ତ ୨୯ ତାରିଖରେ ହୋଇଥିବା ବେଳେ ୨୯ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଛି । ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ସେ ତାକୁ ସମ୍ମାନ ଜଣାଇବେ ।
କୁହାଯାଉଛି ଯେ, ଦୀପାଳିଙ୍କୁ ଟିକେଟ୍ ଦେଇ ଶାସକ ଦଳ ଅନୁକମ୍ପା ଭୋଟ୍ ହାତେଇବା ସହିତ ମହିଳା କାର୍ଡ ବି ଖେଳିପାରେ । ତେଣୁ ଏଥର ଝାରସୁଗୁଡା ଉପ ନିର୍ବାଚନରେ ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି ।
କାହାକୁ ବାଛିବ ବିଜେପିରୁ ?
ବିରୋଧୀ ବିଜେପି ମଧ୍ୟ ଝାରସୁଗୁଡା କ୍ୟାମ୍ପେନରେ ପଛରେ ନାହିଁ । ଗତଥର ନବଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ପୁଣିଥରେ ପ୍ରାର୍ଥୀ କରିପାରେ ଭାରତୀୟ ଜନତା ପାର୍ଟି । ନଚେତ୍ ଦିନେଶଙ୍କ ଜାଗାରେ ଟଙ୍କଧରଙ୍କୁ ପ୍ରାର୍ଥୀ କରି ଦଳ ଜଣେ ଯୁବ ଚେହେରାଙ୍କୁ ମଧ୍ୟ ସାମ୍ନାକୁ ଆଣିପାରେ । ଏହି ଦୁଇ ଚେହେରାଙ୍କ ଭିତରୁ ଜଣକୁ ବିଜେପି ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ଝାରସୁଗୁଡା ଉପନିର୍ବାଚନ ପରିବର୍ତ୍ତନର ସଙ୍କେତ ଦେବ । କିନ୍ତୁ ବିରୋଧୀଙ୍କ ସବୁ ରଣନୀତିକୁ ଫେଲ କରି ବିଜେଡି ପୁଣି ଥରେ ବାଜିମାତ କରିବ ବୋଲି ଦାବି କରିଛନ୍ତି ବିଜେଡି ନେତା । କହିଛନ୍ତି, ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକାଶର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ।
କଂଗ୍ରେସରୁ କିଏ ?
ପଶ୍ଚିମ ଓଡିଶାର ଏହି ଆସନଟି କଂଗ୍ରେସର ଗଡ ବୋଲାଉ ଥିଲା । କାରଣ ସ୍ବାଗତ ନବ ଦାସ ପୂର୍ବରୁ କଂଗ୍ରେସ ଟିକେଟରୁ ଏଠାରେ ଦୁଇ ଦୁଇ ଥର ନିର୍ବାଚନ ଜିତି ଦଳକୁ ଏଠାରେ ମଜବୁତ ରଖିଥିଲେ । ତେବେ ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକଙ୍କୁ ପୁଣି ଥରେ କଂଗ୍ରେସ ପ୍ରାର୍ଥୀ କରିବା ବୋଲି ଯୋଜନ ରଖିଥିବା କୁହାଯାଉଛି । ଅନ୍ୟପଟେ ଝାରସୁଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ମଧ୍ୟ କଂଗ୍ରେସ ଟିକେଟ୍ ହାତେଇବାକୁ କସରତ କରୁଥିବା ସୂଚନା ମିଳୁଛି ।
ପିସିସି ସଭାପତି କହିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି କଂଗ୍ରେସ । ତେବେ କାହାକୁ ପ୍ରାର୍ଥୀ କରିବ, ସେଥିପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ୫ଜଣିଆ କମିଟି ଗଠନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ଏବଂ ରିପୋର୍ଟ ଆସିବା ପରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ଝାରସୁଗୁଡା ନିର୍ବାଚନ ମଣ୍ଡଳୀ
ଉଲ୍ଲେଖଥାଉ କି, ସ୍ୱର୍ଗତ ନବକିଶୋର ଦାସଙ୍କ ବିୟୋଗ ପରେ ଖାଲି ପଡିଥିଲା ଝାରସୁଗୁଡା ଆସନ । ଜାନୁଆରି ୨୯ ତାରିଖରେ ନବ କିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ଦାସ । ୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ । ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ । ଏହା ସହ ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ ।
ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୯୭ ହଜାରରୁ ଅଧିକ ଭୋଟର ରହିଛନ୍ତି । ଯେଉଁଠି ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩, ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭ । ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି । ସମୁଦାୟ ପୋଲିଙ୍ଗ ଷ୍ଟେସନ ସଂଖ୍ୟା ୨୫୩ ।












Click it and Unblock the Notifications