ଅଠାୱାଲେଙ୍କ ବୟାନ ପରେ ତେଜିଲା ରାଜନୀତି: ଜବାବ ରଖିଲେ ବିଜେପି-ବିଜେଡି଼
ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିରେ ସାମିଲ ହେବା ଉଚିତ ବୋଲି ଗତକାଲି କହିଥିଲେ । ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ସଂସଦରେ ସମର୍ଥନ କରୁଛି ବିଜେଡି ।
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିରେ ସାମିଲ ହେବା ଉଚିତ ବୋଲି ଗତକାଲି କହିଥିଲେ । ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ସଂସଦରେ ସମର୍ଥନ କରୁଛି ବିଜେଡି । ଏପରି ସ୍ଥିତିରେ ରାଜ୍ୟରେ ଦୁଇ ଦଳ ଦିଲ୍ଲୀରେ ଏକ ବୋଲି ଏକ ଧାରଣା ସୃଷ୍ଟି ହୋଇଥିବା ବେଳେ ଅଠାୱାଲେଙ୍କ ପ୍ରତିକ୍ରିୟା ପରେ ବେଶ୍ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ଯେ, ଆମର ମେଣ୍ଟ ବିକାଶ ପାଇଁ। ବିସର୍ଜନ ପାଇଁ ନୁହେଁ । କେନ୍ଦ୍ରମନ୍ତ୍ରୀ ଥଟ୍ଟା ମଜାରେ ଅନେକ କଥା କୁହନ୍ତି । କହୁ କହୁ ଓଡିଶା ଗସ୍ତରେ ଆସି ନିଜ ଅନ୍ଦାଜରେ ବିଜେଡି-ବିଜେପି ମେଣ୍ଟ କଥା କହିଥାଇ ପାରନ୍ତି । ବିଜେଡିର ନିଜସ୍ୱ ସ୍ୱତନ୍ତ୍ରତା ରହିଛି ମେଣ୍ଟ ପାଇଁ ଏବେ ଯୋଜନା ନାହିଁ ବୋଲି ସେ କହିଛନ୍ତି।
ତେବେ ସଂସଦରେ ମୋଦୀ ସରକାରକୁ ବିଭିନ୍ନ ବିଲରେ ସମର୍ଥନ କରିବା ପ୍ରସଙ୍ଗରେ ଦେବୀ ମିଶ୍ର କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ପାଇଁ ଉଚିତ୍ ବିଲ କୁ ସମର୍ଥନ କରିଛି ବିଜେଡି। ଏହାର ଅର୍ଥ ନୁହେଁ ବିଜେଡ଼ି ଏନଡିଏର ଅଂଶୀଦାର । ଯଦିଓ ପୂର୍ବରୁ ଅଂଶୀଦାର ଥିଲୁ। କିନ୍ତୁ ଏବେ ନାହୁଁ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ଯେପରି ସମ୍ପର୍କ ରହିବା କଥା ତାହା ରହିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଠାୱାଲେ ବିଜେପିର ନୁହଁନ୍ତି । ସେ ନିଜର ସ୍ୱାର୍ଥ ପାଇଁ ଏମିତି କହିଥିବେ । ବହୁତ୍ ଲୋକ ବହୁତ୍ କଥା କହିବେ । କିନ୍ତୁ ନବୀନଙ୍କୁ ଗ୍ରହଣ କରାଯିବାର ନାହିଁ । କୌଣସି ବୁଝାମଣା ହେବାର ନାହିଁ । ଅମିତ ଶାହା କହିଛନ୍ତି ବିଜେପି ଏକା ଲଢିବ । ଦଳର ମୁଖପାତ୍ର ଓ ଦଳକୁ ଚଳାଉଥିବା ଲୋକ ତ କିଛି କହି ନାହାନ୍ତି। ବିଜେଡି ସହ କୌଣସି ବୁଝାମଣା ହେବାର ନାହିଁ ଯଦି ସେମିତି କିଛି ହେବାର ସମ୍ଭାବନା ରହିଥାନ୍ତା ତେବେ ମୋତେ ବିରୋଧୀଦଳ ନେତା କରି ନଥାନ୍ତେ। ଆଗକୁ ବିଜେପିର ବହୁତ୍ ପରିବର୍ତ୍ତନ ହେବ ବୋଲି ଜୟନାରାୟଣ କହିଛନ୍ତି ।
ସେହିପରି ମୋଦୀ ସରକାର ଆଣୁଥିବା ବିଭିନ୍ନ ବିଲକୁ ସଂସଦରେ ନବୀନଙ୍କ ସମର୍ଥନ ପ୍ରସଙ୍ଗକୁ ନେଇ ଜୟନାରାୟଣ କହିଛନ୍ତି, ପ୍ରତି ଦଳ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଇଥାନ୍ତି । ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛି । କିନ୍ତୁ ଏହି ସମର୍ଥନକୁ ନେଇ ଦଳର ନୀତି ବଦଳିବ ନାହିଁ । ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢିବ । ଏଥିପାଇଁ ଆମେ ଏବେଠୁ ପ୍ରସ୍ତୁତି ଆରମ୍ଭ କଲୁଣି ବୋଲି କହିଛନ୍ତି ଜୟନାରାୟଣ ।
ଅନ୍ୟପଟେ ଏହି ଘଟଣା ପରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି ଆମ୍ ଆଦମୀ ପାର୍ଟି । ଦଳର ନେତା ନିଶିକାନ୍ତ ମହାପାତ୍ର ବିଜେଡି-ବିଜେପିକୁ ଟାର୍ଗେଟ କରିବା ସହ କହିଛନ୍ତି, ଓଡ଼ିଶାରେ ଆଉ ବିରୋଧୀ ନାହାନ୍ତି । ନବୀନ ବାବୁ ଏବଂ ବିଜେପି ଏକ ମେଣ୍ଟରେ ଅଛନ୍ତି । ବିହାରରେ ନୀତିଶ କୁମାର ଏନଡିଏର ହାତ ଛାଡିବା ପରେ ଏବେ ଏନଡିଏରେ ନବୀନଙ୍କର ଆବଶ୍ୟକତା ବଢିଯାଇଛି । ବିଜେପି ଇଡି, ସିବିଆଇର ଭୟ, ଯେମିତି ଆପ ଉପରେ ପ୍ରୟୋଗ କରିଛନ୍ତି, ତେଣୁ ନବୀନ ଏବେ ବିଜେପି ପାଖରେ ଶରଣ ପଶିଛନ୍ତି । ଓଡ଼ିଶାରେ ସମଦୂରତା ନୁହେଁ ସମର୍ପଣର ରାଜନୀତି ଚାଲିଛି ବୋଲି କହିଛନ୍ତି ନିଶିକାନ୍ତ ।
ଉଲ୍ଲେଖଥାଉ କି, ଗତକାଲି ଓଡିଶା ଗସ୍ତରେ ଆସିଥିବା ଭୁକେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ NDAରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ଅଠାୱାଲେ କହିଥିଲେ ଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବାରେ ବିଜେଡି ସହଯୋଗ କରିଛି । ୨୦୨୪ ବେଳକୁ NDAରେ ଯୋଡ଼ି ହେଲେ ଲାଭରେ ରହିବେ ନବୀନ। ଓଡିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି ସରକାର ।












Click it and Unblock the Notifications